ଭୁବନେଶ୍ୱର: ସଙ୍କଟରେ ପଡ଼ିଛନ୍ତି ଗଜରାଜ । ହାତୀ ପାଇଁ କାଳ ହେଉଛି ବିଦ୍ୟୁତ ତାର । ବାରମ୍ବାର ହାତୀର ଜୀବନ ନେଉଛି ହାତୀ ବିଦ୍ୟୁତ ତାର । ଭୁବନେଶ୍ୱର ନିକଟସ୍ଥ ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ ରାମୁର ମୃତଦେହ ଉଦ୍ଧାର ହୋଇଛି । ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ହାତୀଟିର ମୃତଦେହକୁ ଉଦ୍ଧାର କରାଯାଇଛି । ବିଦ୍ୟୁତ୍ ଆଘାତରେ ରାମୁର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବିଦ୍ୟୁତ୍ ବିଭାଗ ଠାରୁ ଖବର ପାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରାଯାଉଛ ।
ସୂଚନା ଅନୁସାରେ କିଛି ଦିନ ତଳେ ରାମୁ ଚନ୍ଦକା ବାଡ ଭାଙ୍ଗି ସହର ମୁହାଁ ହୋଇଥିଲା । ଭୁବନେଶ୍ଵର ମୈତ୍ରୀ ବିହାର ଅଞ୍ଚଳରେ ହାତୀଟି ବୁଲୁଥିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ । ପରେ ବନ ବିଭାଗ ରାମୁକୁ ଚନ୍ଦକା ଜଙ୍ଗଲରେ ଛାଡିଥିଲା । ହେଲେ ଆଜି ସକାଳୁ ଉକ୍ତ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମରିବାର ରାଜ୍ୟରେ କୌଣସି ନୂଆ ଘଟଣା ନୁହେଁ । ଗତ ଦୁଇ ଦିନ ତଳେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଚରଡପଶି ଗାଁ ଜଙ୍ଗଲରେ ୧୧ କେଭି ତାର ଲାଗି ଏକ ମାଈ ହାତୀ ମୃତ୍ୟୁ ବରଣ କରିଥିଲା । ଅନ୍ୟପକ୍ଷରେ ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀର ମୃତ୍ୟୁ ହୋଇଥିଲା । ଗତ ଜୁଲାଇ ୪ ତାରିଖରେ ସଦର ରେଂଜ ଫରେଷ୍ଟ ଅନ୍ତର୍ଗତ ଝାଙ୍କରବାହାଲି ଜଙ୍ଗଲରେ ବିଦ୍ୟୁତ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା ।
ଚଳିତ ମାସରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ମାମଲାରେ ଓଡିଶା ପ୍ରଥମରେ ରହିଛି । ବିଦ୍ୟୁତ ଆଘାତରେ ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୬୧ଟି ହାତୀ ମୃତ୍ୟୁ ବରଣ କରିଛନ୍ତି ।