ପୁରୀ: ବିଧାୟକ, ମନ୍ତ୍ରୀ କିମ୍ବା ସାଂସଦ ହୋଇଛନ୍ତି ବୋଲି ଗର୍ବ କରନ୍ତୁ ନାହିଁ । ତୃଣମୂଳ ସ୍ତରରେ ପହଁଚି ଲୋକଙ୍କ କଥା ବୁଝିବାକୁ ବିଧାୟକ ଓ ମନ୍ତ୍ରୀ ଗୁରୁବାଣୀ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ।
ଆଜି ପୁରୀସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ବିଜେପିର ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ସମସ୍ତ ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ତାଙ୍କର ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଛନ୍ତି । କିପରି ତୃଣ ମୂଳସ୍ତରରେ ଲୋକଙ୍କ ପାଖରେ ପହଁଚି ସେମାନଙ୍କ ସମସ୍ୟାର ସମାଧାନ କରିବେ ସେ ନେଇ ତାଗିଦ କରିଛନ୍ତି । ନଡ୍ଡା କହିଛନ୍ତି, ବିଧାୟକ, ମନ୍ତ୍ରୀ କି ସାଂସଦ ହେଇଛନ୍ତି ବୋଲି ଗର୍ବ କରନ୍ତୁ ନାହିଁ। ଦଳ କରିବା ଓ ଚାଟୁକାରିତା ଛାଡ଼ି ନିଜର ବ୍ୟକ୍ତିତ୍ଵର ବିକାଶ କରନ୍ତୁ। ଗାଁକୁ ଯାଆନ୍ତୁ ଅଙ୍ଗନବାଡ଼ିକୁ ଯାଇ ସେଠିକାର ଅବସ୍ଥା ଦେଖନ୍ତୁ । ଡାକ୍ତରଖାନାକୁ ରୋଗୀଙ୍କ କଥା ବୁଝନ୍ତୁ, ସେମାନଙ୍କର ସମସ୍ୟାର ସମାଧାନ କରନ୍ତୁ । ଅଫିସରମାନଙ୍କ ସହ ଉତ୍ତମ ସଂପର୍କ ରଖି କାମ ଆଦାୟ କରିବା ଶିଖିବାକୁ ପରାମର୍ଶ ଦେଇଛନ୍ତି ନଡ୍ଡା । ସେହିପରି ସଙ୍ଗଠନକୁ କିପରି ଆହୁରି ସୃଦୃଢ଼ କରାଯିବ ତାହା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ।
ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବଙ୍କ ସମେତ ସମସ୍ତ ବିଜେପି ବିଧାୟକ, ସାଂସଦ ଓ ୩ ସହଯୋଗୀ ସ୍ଵାଧୀନ ବିଧାୟକ ଯୋଗ ଦେଇଛନ୍ତି।