ସମ୍ବଲପୁରରେ ଥମୁନି ସାଇବର୍ ଠକେଇ । ଦିନକୁ ଦିନ ବଢିଚାଲିଛି ସାଇବର ଅପରାଧୀଙ୍କ ଅପରାଧ । ପୋଲିସକୁ ଚକ୍ମା ଦେଖାଇ ଦେଖାଇ ଖସିଯାଉଛନ୍ତି ସାଇବର ଅପରାଧୀ । ଯାହା ସମ୍ବଲପୁରବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସାଧାରଣ ଲୋକଙ୍କ ଠାରୁ ଲୁଟିନେଇଯାଉଛନ୍ତି ଲକ୍ଷ ଲକ୍ଷ ତାଙ୍କ । ଏପରିକି ସାଇବର୍ ଠକେଇଙ୍କ ପାଇଁ କେତେକ ପରିବାର ଉଜୁଡିଯାଉଛି ।ଏସବୁ ମଧ୍ୟରେ ବୁର୍ଲା ସୌରଭ ବିହାରରେ ବାସ କରୁଥିବା ଜଣେ ଲୋକ ସାଇବର୍ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ସାଇବର୍ ଠକେଇର ଶିକାର ହୋଇ ୫୦ ହଜାର ଟଙ୍କା ହରାଇଛନ୍ତି।
ସୂଚନା ଅନୁଯାୟୀ,ଗତ ୨୦ ତାରିଖରେ ଏସ୍ବିଆଇ ଲେଖାହୋଇଥିବା ଏକ ମେସେଜ୍ ତାଙ୍କ ପାଖକୁ ଆସିଥିଲା। ଆସିଥିବା ମେସେଜ୍ ରେ ୟୋନୋରେ ୪୯୮୮ ରିଵାର୍ଡ ପଏଣ୍ଟ ରିଦିମ୍ କରିବା ପାଇଁ ଉଲ୍ଲେଖ ହୋଇଥିଲା । ଏଥିସହ ରିଵାର୍ଡ ପଏଣ୍ଟକୁ ଟଙ୍କାରେ ବଦଳାଇବାକୁ ଏକ ଲିଙ୍କ ଦିଆଯାଇ ଶେଷ ତାରିଖ ବୋଲି ଦର୍ଶାଯାଇଥିଲା । ସାଇବର ଠକେଇରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ସେହି ଲିଙ୍କ୍ କୁ କ୍ଲିକ୍ କରିଥିଲେ । ଏହାପରେ ଏସ୍ବିଆଇର ୱେବ୍ସାଇଟ୍ ଭଳି ଅବିକଳ ନକଲ ୱେବ୍ସାଇଟ୍ ଖୋଲି ଯାଇଥିଲା।
ସେଥିରେ ସମସ୍ତ ଡକୁମେଣ୍ଟ ସହ ଓଟିପି ମଗାଯାଇଥିଲା। ଏପରିକି ଇଣ୍ଟରନେଟ୍ ବ୍ୟାଙ୍କିଂ ଭଳି ୟୁଜର୍ ନେମ୍ ଓ ପାସଵାର୍ଡ ସେଟ୍ କରିଥିଲେ ବ୍ୟକ୍ତି ଜଣକ । ଏଥିସହ ୨ ଥର ସେ ଓଟିପି ଦେଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ୪୯,୮୮୮ ଟଙ୍କା କାଟି ନେଇଥିଲେ ସାଇବର ଅପରାଧୀ । ଠକାମିର ଶିକାର ହୋଇଥିବା ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରିରଖିଛି ।
ଅଧିକ ପଢନ୍ତୁ :ଜଳସମ୍ପଦ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କଲା ମଦ୍ୟପ ଯୁବକ