ଗଜପତି: ଗତକାଲି ଘରେ କେହି ନ ଥିବାବେଳେ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁରେ ଘଟିଛି । ସ୍ୱାମୀ ଜଣକ ସ୍ତ୍ରୀକୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ । ଅପରାହ୍ନରେ ସ୍ବାମୀ ନିଜ ଜୀବନ ହାରିଛି । ମୃତ ସ୍ତ୍ରୀ ଜଣକ ମୋନିକା ପାଇକ ଓ ସ୍ବାମୀ ନରେନ୍ଦ୍ର ପାଇକ ।
ସୂଚନା ଅନୁସାରେ, ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗ୍ରାମରେ ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ନରେନ୍ଦ୍ର ପଥର ଓ ମାରଣାସ୍ତ୍ର ସାହାଯ୍ୟରେ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କରିଥିଲା । ଏନେଇ ସେରଙ୍ଗ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ସେରଙ୍ଗ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି କରିଥିଲା ।
ଅପରପକ୍ଷରେ ଝିଅକୁ ହତ୍ୟା କରାଯିବା ନେଇ ମା’ ଜି.ସରୋଜିନୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ଘରୁ ଫେରାର ହୋଇଯାଇଥିଲା । ଅପରାହ୍ନରେ ଏକ ଗଛରେ ରଶି ଲଗାଇ ନିଜ ଜୀବନ ହାରିଥିଲା ସ୍ୱାମୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।