ରାୟଗଡା: ସୋମବାର ଦିନ ରାୟଗଡାରେ ଏକ ଶୁଣାଣିରେ ବିଳମ୍ବରେ ପହଞ୍ଚିଥିବା ଅଧିକାରୀମାନଙ୍କୁ ବାହାର କରିଦେଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି। ଆଜି ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାୟଗଡାର ସଦରମହକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ I
ରିପୋର୍ଟ ଅନୁଯାୟୀ ଆଜି ନିର୍ଦ୍ଧାରିତ ସମୟ ଦିନ ୧୦ଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଠିକ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚି ସାରିଥିଲେ ମଧ୍ୟ ଅଧିକାଂଶ ଜିଲ୍ଲାସ୍ତରୀୟ ଅଧିକାରୀ ଶୁଣାଣିରେ ପହଞ୍ଚି ନଥିଲେ। କିଏ ୨୦ ମିନିଟ୍ ତ ଆଉ କିଏ ଅଧ ଘଣ୍ଟା ବିଳମ୍ବରେ ପ୍ରକୋଷ୍ଠ ଭିତରେ ପ୍ରବେଶ ପାଇଁ ଆସିଥିଲେ। ଏହା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡ଼ିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏପରିକି ରାୟଗଡ଼ା ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କୁ ମଧ୍ୟ ବିଳମ୍ବରେ ଆସିବା କାରଣରୁ ଭିତରକୁ ଛଡ଼ାଯାଇନଥିଲା।
ବିଳମ୍ବରେ ଅଫିସ ପହଞ୍ଚିଥିବା ଅଧିକାରୀମାନେ ହେଉଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ ଧଳସାମନ୍ତ, ଜିଲ୍ଲା ଉପନିବନ୍ଧକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ମହାରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୀନତି ଦେଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ରାୟଗଡ଼ା ବିଡିଓ ସୁଜିତ୍ କୁମାର ମିଶ୍ର, ବନ ବିଭାଗ ଏସିଏଫ୍, ଏବଂ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ। ମୋଟ୍ ୧୨ ଜଣ ଅଧିକାରୀଙ୍କୁ ଶୁଣାଣି ପ୍ରକୋଷ୍ଠକୁ ଛଡ଼ାଯାଇନଥିଲା ଫଳରେ ବାଧ୍ୟ ହୋଇ ସେମାନେ ଶୁଣାଣି ପ୍ରକୋଷ୍ଠ ପାର୍ଶ୍ୱରେ ଥିବା ଇନୋଭେସନ୍ ସେଲ୍ ରେ ବସି ରହିଥିଲେ। ଅଭିଯୋଗ ଶୁଣାଣି ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା, ହେଲେ ବିଳମ୍ବତା ହେତୁ ଏବଂ ଭିତରକୁ ପ୍ରବେଶ ବାରଣ ହେତୁ ସରକାରୀ ଅଧିକାରୀମାନେ ବାହାରେ ଅପେକ୍ଷା କରି ବସିବାକୁ ବାଧ୍ୟ ହୋଇଥିଲେ।
ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଦେଉ ନଥିବା ଏବଂ ଏଥିରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ରହିଛି, ଯାହାଫଳରେ ଜିଲ୍ଲାପାଳ ଏଭଳି ଆଜି ଜିଲ୍ଲାପାଳ କର୍ତ୍ତବରେ ଅବହେଳା କରୁଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଅଧିକ ପଢନ୍ତୁ: ନୂଆବର୍ଷର ପ୍ରଥମ ଜନଶୁଣାଣିରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ