ଭୁବନେଶ୍ୱର: ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଜନତା ଦରବାର। ସୋମବାର ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ୧୬ତମ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିଛନ୍ତି। ଅଭିଯୋଗ ଶୁଣିବା ସହ ସେସବୁର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, "ଜନତାଙ୍କ ଅକୁଣ୍ଠ ବିଶ୍ୱାସ ଓ ଆସ୍ଥା ହିଁ ଆମକୁ ପ୍ରତିଦିନ ନିରନ୍ତର ସେବା କରିବା ପାଇଁ ଅପାର ଶକ୍ତି ଯୋଗାଉଛି। ଏ ସରକାର ହେଉଛି 'ଲୋକଙ୍କ ସରକାର'। ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ବ୍ୟବସ୍ଥାକୁ ଲୋକଙ୍କ ଅତି ନିକଟତର କରିବା ପାଇଁ ଆମେ ପ୍ରତିବଦ୍ଧ"।
ଆଜିର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୧ ହଜାର ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗ, ଭିନ୍ନକ୍ଷମ ଅଭିଯୋଗକାରୀଙ୍କୁ ଭେଟିଥିଲେ। ସେମାନଙ୍କ ଅଭିଯୋଗ ଶୁଣି ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନଙ୍କୁ ମଧ୍ୟ ଜିଲ୍ଲାସ୍ତରରେ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜୀକୃତ କରିବାକୁ କୁହାଯାଇଛି। ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି।
ଅଧିକ ପଢନ୍ତୁ: ୨ ଘଣ୍ଟା ଓପିଡି ବନ୍ଦ କଲେ ଡାକ୍ତର; ଆନ୍ଦୋଳନ ଛାଡି କାର୍ଯ୍ୟରେ ଯୋଗ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ କଲେ ଅପିଲ୍