ଭୁବନେଶ୍ୱର: ଆହୁରି କଠୋର ହେଲା ଓମ୍ସା ଆନ୍ଦୋଳନ। ଆଜିଠାରୁ ଘଣ୍ଟିକିଆ ନୁହେଁ, ବରଂ ଦୁଇ ଘଣ୍ଟା ଓପିଡି ବନ୍ଦ ନେଇ ଡାକ୍ତର ସଂଘ ନିଷ୍ପତ୍ତି ନେଇଛି। ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ଓପିଡିରେ ରୋଗୀ ଦେଖିବେନି ଡାକ୍ତର। ଏବେ ସାରା ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅପିଲ୍ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ।
ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଡାକ୍ତରମାନେ ରୋଗୀ ସେବା କାର୍ଯ୍ୟରେ ଯୋଗ ଦିଅନ୍ତୁ। ଆଲୋଚନା ଦ୍ବାରା ସବୁ କାର୍ଯ୍ୟର ସମାଧାନ ହେବ, ତେଣୁ ଆମ ସହ ଆଲୋଚନା କରନ୍ତୁ। ରୋଗୀ ସେବାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ଆଜିଠୁ ବିଭିନ୍ନ ସରକାରୀ ହସ୍ପିଟାଲରେ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ହେବାକୁ ନିଷ୍ପତ୍ତି ନେଇଛି ଓମ୍ସା। ପଦୋନ୍ନତି, ଦରମା ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ୧୦ ଦଫା ଦାବି ପୂରଣ ନେଇ ଓମ୍ସା ପ୍ରତିବାଦ କରିବା ସହିତ କଳାବ୍ୟାଜ୍ ପିନ୍ଧି ଗତ ୨୬ତାରିଖରୁ ପୂର୍ବାହ୍ନ ୧୦ରୁ ୧୧ଟା ଘଣ୍ଟାଏଁ ଲେଖାଏଁ ଓପିଡି ବନ୍ଦ ଜାରି ରଖିଛି। ଏହାରି ଭିଆର ଆଜିଠୁ ସାରା ରାଜ୍ୟରେ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ନିଷ୍ପତି ନେଇଛି, ଯାହାକୁ କନିଷ୍ଠ ଡାକ୍ତର ସଂଘ ମଧ୍ୟ ସହମତି ଜଣାଇଛି। ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦ୍ରେ ଅଟଳ ରହି ଏଭଳି ନିଷ୍ପତି ନେଇଛନ୍ତି। ଅପରପକ୍ଷେ ଦୈନିକ ସକାଳ ୯ଟାରୁ ୧୧ଟା ଯାଏ ୨ ଘଣ୍ଟା ଓପିଡି ବନ୍ଦ ହେବା ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଛି।
ଅଧିକ ପଢନ୍ତୁ: "AICCର ଭୁଲ ନିଷ୍ପତ୍ତି ଯୋଗୁଁ କଂଗ୍ରେସ ବିଫଳ"; ଦିଲ୍ଲୀ ନେତୃତ୍ବକୁ ଦାୟୀ କରି ବର୍ଷିଲେ ମୋକିମ