ଭୁବନେଶ୍ୱର: ଜାନକୀଙ୍କ ସ୍ମୃତି ସଭାରେ ମୋକିମ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିଥିବା ବେଳେ ଆଜି ପୁଣିଥରେ କଂଗ୍ରେସ ଦଳର ନିଷ୍ପତ୍ତିକୁ ନିଶାଣ କରିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ଏଆଇସିସିର ଭୁଲ ନିଷ୍ପତ୍ତି ଯୋଗୁଁ କଂଗ୍ରେସ ବିଫଳ ବୋଲି କହିଛନ୍ତି ମୋକିମ। ଆଗାମୀ ଦିନରେ ନୂଆ ଆଞ୍ଚଳିକ ରାଜନୈତିକ ଦଳ ଗଢିବା ଚର୍ଚ୍ଚା ଭିତରେ ଏବେ ପୁଣି ଠାରେ କଂଗ୍ରେସ ଦଳକୁ ମୋକିମ ନିଶାଣ କରିଛନ୍ତି।
ମୋକିମ କହିଛନ୍ତି ଯେ, "କେବଳ ଓଡ଼ିଶା ନୁହେଁ ଏଆଇସିସିର ଭୁଲ ନିଷ୍ପତ୍ତି ଯୋଗୁଁ କଂଗ୍ରେସ ଅନ୍ୟ ରାଜ୍ୟରେ ମଧ୍ୟ ଫେଲ ମାରିଛି। ଯେଉଁ ରାଜ୍ୟରୁ କଂଗ୍ରେସ ଯାଉଛି ସେହି ରାଜ୍ୟରେ ଆଉ କ୍ଷମତାକୁ ଆସିପାରୁନାହିଁ । ଏଥିପାଇଁ କଂଗ୍ରେସର ଦିଲ୍ଲୀ ନେତୃତ୍ବ ହିଁ ଦାୟୀ"।
ସେ ଆହୁରି କହିଛନ୍ତି ଯେ, କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ (CWC) ଶଶୀ ତରୁର ଓ ଦିଗବିଜୟ ସିଂ କଂଗ୍ରେସ ଏହି ସେଟ ଅପ୍ ରେ ଆଗକୁ ବଢି ପାରିବ ନାହିଁ ବୋଲି କହିଲେଣି। ଏହା ସହ ନୂଆ ଦଳ ସମ୍ପର୍କରେ ସେ କହିଛନ୍ତି ଯେ, ନୂଆ ଦଳ ପାଇଁ ବ୍ଲୁ-ପ୍ରିଣ୍ଟ ସମ୍ପୂର୍ଣ୍ଣ ସରିନାହିଁ। ଆଉ ୩/୪ ପର୍ଯ୍ୟାୟ ଆଲୋଚନା ବାକି ଅଛି। ଏହି ଦଳ ଭିନ୍ନ ପ୍ରକାର ହେବ ଏବଂ ବିଭିନ୍ନ ପ୍ରକାରର ସାମାଜିକ ନ୍ୟାୟ କାର୍ଯ୍ୟ କରିବ।
ମୋକିମ କହିଛନ୍ତି, ନୂଆ ଆଞ୍ଚଳିକ ଦଳ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ କାମ କରିବ। ଦଳରେ ମଦ ବିରୋଧୀ ଆନ୍ଦୋଳନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଅବକାରୀ ରାଜସ୍ୱ ଖଣି ବିଭାଗରୁ ଭରଣା କରିପାରିବ। ନୂଆ ଦଳ ମାଗଣା ଯୋଜନାକୁ ସମର୍ଥନ କରିବ ନାହିଁ। ଲୋକଙ୍କୁ ରୋଜଗାରରକ୍ଷମ କରିବାକୁ ଯୋଜନା ହେବ। ଏଥିରେ ଉଦୀୟମାନ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଦଳରେ ସାମିଲ କରାଯିବ। ରାଜ୍ୟରେ ଏବେ ରାଜନୈତିକ ଶୂନ୍ୟସ୍ଥାନ ରହିଛି। ଲୋକେ ବିଜେଡି ଓ କଂଗ୍ରେସକୁ ପରୀକ୍ଷା କରିସାରିଛନ୍ତି ବୋଲି ମୋକିମ୍ କହିଛନ୍ତି।
ଅଧିକ ପଢନ୍ତୁ: ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ପଡିଗଲା ମହଙ୍ଗା: କଂଗ୍ରେସରୁ ବହିଷ୍କାର ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ