ମାଲକାନଗିରି: ମାଓବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି । ଅଭେଦ ଲାଲଗଡ଼ରେ ସୁରକ୍ଷାବାହିନୀ ପ୍ରବେଶ କରି ଲାଲବାହିନୀଙ୍କୁ ନିପାତ କରିବା ସହିତ ତାଙ୍କର ସାମ୍ରାଜ୍ୟକୁ ଧ୍ୱଂସ କରିବାରେ ଲାଗିଛନ୍ତି । ଓଡ଼ିଶାର ମାଲକାନଗିରି ଓ ଛତିଶଗଡ଼ର ସୁକମା ଜିଲ୍ଲା ସୀମାନ୍ତରେ ସୁରକ୍ଷାବାହିନୀ ମାଓବାଦୀ ବଡ଼ ଯୋଜନାକୁ ପଣ୍ଡ କରିଦେଇଛି । ମାଓବାଦୀମାନେ ଚଳାଇଥିବା ଅସ୍ତ୍ରଶସ୍ତ୍ର କାରଖାନାକୁ ଠାବ କରିଛି ସରୁକ୍ଷାବାହିନୀ ।
ବୁଧବାର ୨୦୩-କୋବ୍ରା ବାଟାଲିୟନର ୫ଟି ଟିମ୍ ଏବଂ ୧୩୧-ସିଆରପିଏଫ୍ ବାଟାଲିୟନ ମିଳିତଭାବେ ଓଡ଼ିଶା-ଛତିଶଗଡ଼ ସୀମାର ମେଟାଗୁଡେମ ଓ ଡୁଲେର ଗ୍ରାମରୁ ୫ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଉକ୍ତ ଜଙ୍ଗଲ ଭିତରେ ଥିବା ଏକ କାରଖାନା ଠାବ କରାଯାଇଛି । ପଥର ଖୋଲ ଭିତରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା । ସୁରକ୍ଷା ବଳ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୨୧ଟି ଆଇଇଡି, ବିଜିଏଲ ବୋମା, ଜେନେରେଟର, ଲେଥ୍ ମେଶିନ ସାମଗ୍ରୀ ଏବଂ ବନ୍ଧୁକ ତିଆରି ସରଞ୍ଜାମ । ପ୍ରତ୍ୟେକ ଆଇଇଡି ବୋମାର ଓଜନ ପ୍ରାୟ ୨୫୦ ଗ୍ରାମ । କୋବ୍ରା ବାଟାଲିୟନର ଡଗ୍ ସ୍କ୍ୱାର୍ଡ ଏହାକୁ ଖୋଜି ବାହାର କରିବାରେ ବିଶେଷ ଭୂମିକା ଗ୍ରହଣ କରିଛି । ଏହା ଦ୍ୱାରା ମାଓବାଦୀଙ୍କୁ ଏକ ଶକ୍ତ ଝଟକା ଲାଗିଛି ବୋଲି କୁହାଯାଉଛି ।
ଗତକାଲି ୮ଟି ଲ୍ୟାଣ୍ଡମାଇନ୍ ମଧ୍ୟ ଜବତ କରାଯାଇଥିଲା । ଏହା ପୂର୍ବରୁ ଏକ ସୁଡ଼ଙ୍ଗ ଭିତରୁ ବନ୍ଧୁକ କାରଖାନା ଠାବ କରାଯାଇଥିଲା । ଲଗାତର କିଛି ଦିନ ହେବ ମାଓବାଦୀଙ୍କ ବିରୋଧରେ ବଡ଼ ଅଭିଯାନ ଆରମ୍ଭ କରାଯାଇଛି । ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଛି ।