ଯାଜପୁର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଜିଲ୍ଲା ଯାଜପୁର ଓ ଭଦ୍ରକ ଗସ୍ତ କରିଛନ୍ତି । ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ କସପା ପଞ୍ଚାୟତ ଓ ତରପଡା ପଞ୍ଚାୟତରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସେଠାରେ ଦଶରଥ ବ୍ଲକରେ ପହଁଚିବା ପରେ ବୋଟ୍ ଯୋଗେ ଜଳବନ୍ଦୀ ଗ୍ରାମଗୁଡ଼ିକୁ ଯାଇଥିଲେ । କସପା ଏବଂ ତରପଡ଼ା ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର, ବାଲଦା, ଦୋଭାବିଲ୍ ଗ୍ରାମ ବୁଲି ଦେଖିଥିଲେ । ଖାଲି ପାଦରେ ଚାଲି ଚାଲି ଯାଇ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି । ସୁରକ୍ଷା, ସମସ୍ୟା, ରିଲିଫ୍ ବ୍ୟବସ୍ଥା ଓ ଉଦ୍ଧାରକାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହିତ ରିଲିଫ୍ କେନ୍ଦ୍ରରେ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ରୋଷେଇ ହୋଇଥିବା ରନ୍ଧା ଖାଦ୍ୟକୁ ନିଜେ ଯାଞ୍ଚ କରିଥିଲେ ।
ଏହା ପରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ମଧ୍ୟ ପରିଦର୍ଶନ କରିଛନ୍ତି । ପ୍ରଥମେ ଅରାଳି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବନ୍ୟାଞ୍ଚଳକୁ ବୋଟ୍ ଯୋଗେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ଇଶ୍ୱରପୁର ଗ୍ରାମକୁ ଯାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ ପ୍ରଭାବିତ ଜନସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଇଦେବା ଆମ ସରକାରଙ୍କ ପ୍ରଥମ ପ୍ରାଥମିକତା। ପ୍ରତ୍ୟେକ ପ୍ରଭାବିତ ପରିବାର ନିକଟରେ ତୁରନ୍ତ ରିଲିଫ, ସୁଖିଲା ଓ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ସେବା ପହଞ୍ଚାଯାଉଛି। ଏହି ସଙ୍କଟ ସମୟରେ ଆମ ସରକାର ଜନସାଧାରଣଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟସଭା ସାଂସଦ ତଥା ବିଜେପି ସଭାପତି ମନମୋହନ ସାମଲ ଏବଂ ସ୍ଥାନୀୟ ବିଧାୟକ ଗଣ ଉପସ୍ଥିତ ଥିଲେ ।