ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତର ପ୍ରଥମ ଦିନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଛନ୍ତି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ସୂଚନା ଦେଇଛନ୍ତି ।
ଏହି ସାକ୍ଷାତକାର ସମୟରେ ବିଭିନ୍ନ ସାଙ୍ଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ମାନନୀୟ ନଡ୍ଡା ଜୀଙ୍କ ଦୃଷ୍ଟିଭଙ୍ଗୀ ଓ ପରାମର୍ଶ ଆଗାମୀ ଦିନରେ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ଆଗାମୀ ନୂଆପଡ଼ା ଉପନିର୍ବାଚନକୁ ନେଇ କିଛି ରଣନୀତି ପ୍ରସ୍ତୁତ ହେବା ଆଶଙ୍କା କରାଯାଉଛି । ତେବେ ପୂର୍ବରୁ ମନମୋହନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବର୍ତ୍ତମାନ ହେବ ନାହିଁ କହିସାରିଛନ୍ତି ।
ନୂଆପଡ଼ା ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଉକ୍ତ ଆସନ ଖାଲି ରହିଛି । ଖୁବ ଶୀଘ୍ର ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି । ଏହା ପୂର୍ବରୁ ତିନି ଦଳ ଆସନକୁ ହାତେଇବାକୁ କସରତ ଆରମ୍ଭ କରିଦେଲେଣି ।