ଭୁବନେଶ୍ୱର: ନୂଆଁଖାଇର ଦିନକ ପୂର୍ବରୁ ଚାଷିଭାଇଙ୍କ ମୁହଁରେ ହସ ଫୁଟିଛି । ରାଜ୍ୟ ସରକାର ଚାଷୀଭାଇମାନଙ୍କୁ ନୂଆଁଖାଇ ଭେଟି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଏମ୍ କିଷାନ ଯୋଜନାରେ ତୃତୀୟ କିସ୍ତି ବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅତ୍ୟନ୍ତ ଖୁସିର ବିଷୟ ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି । ଯେମତି ଜଣେ ହେଲେ ଚାଷୀ ଯେମତି ଏଥିରୁ ବଞ୍ଚିତ ନ ହୁଅନ୍ତି, ସେ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବେ । କାରଣ, ବିନା ଅନ୍ନଦାତାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି ଅସମ୍ଭବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ଵର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସିଏମ୍ କିଷାନ ସହାୟତାର ତୃତୀୟ କିସ୍ତି ବାଣ୍ଟିଛନ୍ତି । ମୋଟ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁକୂଳ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ ଡି. ବି.ଟି ମାଧ୍ୟମରେ ମୋଟ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ଓୟୁଏଟିରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟରେ ଏକ 'କୃଷକ ଭବନ' ଏବଂ କୃଷି ଶିକ୍ଷା ସଦନର ଏକ 'ଅଭ୍ୟର୍ଥନା ଗୃହ' ଉଦଘାଟନ କରିଛନ୍ତି । କୃଷକ ପଞ୍ଜିକରଣ ଅବଧି ବୃଦ୍ଧି କରିବା ପାଇଁ ଖୁବ ଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଆସିବା ମାତ୍ରେ ଚାଷୀମାନଙ୍କ ପ୍ରସଙ୍ଗକୁ ଗୁରୁତ୍ଵର ସହିତ ବିଚାରକୁ ନେଇଥିଲେ। ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିବା ସହିତ କ୍ଷୁଦ୍ର-ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାରଙ୍କୁ ସି.ଏମ୍–କିଷାନ୍ ଯୋଜନାରେ ଡି.ବି.ଟି. ମାଧ୍ୟମରେ ଟଙ୍କା ପ୍ରଦାନ କରାଗଲା । ଗୋଟିଏ ପଦକ୍ଷେପରୁ ପଞ୍ଜୀକୃତ ଚାଷୀଙ୍କ ବାର୍ଷିକ ଆୟରେ ଅତି କମରେ ୩୮ ହଜାର ଟଙ୍କା ଯୋଡି ହୋଇଛି । ଯଦି ସୁଭଦ୍ରା ଯୋଜନାର ଦଶ ହଜାର ଏବଂ ପିଏମ ଓ ସିଏମ କିଶାନର ୧୦ ହଜାର ଟଙ୍କାକୁ ଯୋଡିବେ ତେବେ ସେମାନଙ୍କ ବାର୍ଷିକ ଆୟ ଅତି କମରେ ୫୮ ହଜାର ଟଙ୍କା ବୃଦ୍ଧି ପାଇଛି । କାରଣ, ପ୍ରାୟ ପ୍ରତ୍ୟେକ ସୁଭଦ୍ରା ହିତାଧିକାରୀ ହେଉଛନ୍ତି ଚାଷୀ ପରିବାରର । ଏହା ହେଉଛି ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ଯେମତି ଜଣେ ହେଲେ ଚାଷୀ ଯେମତି ଏଥିରୁ ବଞ୍ଚିତ ନ ହୁଅନ୍ତି, ମୁଁ ବ୍ୟକ୍ତିଗତ ଭାବେ ଧ୍ୟାନ ରଖିବି। କାରଣ, ବିନା ଅନ୍ନଦାତାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି ଅସମ୍ଭବ।
ସେ ଆହୁରି କହିଥିଲେଯେ, ଫସଲର ସୁରକ୍ଷା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଅନେକ ଗୁଡିଏ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ପ୍ରଧାନ ମନ୍ତ୍ରୀ ଫସଲ ବୀମା, ଫସଲ ବିବିଧିକରଣ ଭଳି ଯୋଜନା ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରାଯାଉଛି । ଏହା ସହିତ ଆଳୁ, ଶୀତଳ ଭଣ୍ଡାର, ସବସିଡି ଇତ୍ୟାଦି ପ୍ରଦାନ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇ କହିଛନ୍ତି ଯେ ରାଜ୍ୟରେ କୃଷି ଓ କୃଷକର ଉନ୍ନତି ସାଧନ ନିମିତ୍ତ ସରକାର ଅଙ୍ଗୀକାରବଦ୍ଧ । ସମସ୍ତ ଅଭାବୀ ଚାଷୀକୁଳକୁ କିଛିଟା ଆର୍ଥିକ ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଏହି କୃଷକ କଲ୍ୟାଣକାରୀ ଯୋଜନା ସି ଏମ କିଷାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନା ଏକ ପ୍ରଗତିଶୀଳ ତଥା କୃଷକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଭଳି ଯୋଜନା । ସି.ଏମ୍ କିଷାନ ଯୋଜନାରେ ଅଧିକରୁ ଅଧିକ ଯୋଗ୍ୟ ଚାଷୀ ଅନ୍ତର୍ଭୁକ୍ତ ହେଲେ କୃଷି ଓ କୃଷକର ଉନ୍ନତି ହୋଇପାରିବ I
କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ବାବୁ ସିଂ, ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳ ଏବଂ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ ।