ଧାନ ମଣ୍ଡିରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ । ପଞ୍ଜୀକରଣ ଅବଧି ବୃଦ୍ଧି କରିବା ଦାବି ଭିତରେ ଧାନ ବେପାରୀଙ୍କୁ ଚରମବାଣୀ ଶୁଣାଇଛନ୍ତି କୃଷି ମନ୍ତ୍ରୀ । ଛତିଶଗଡ଼ର ଚାଷୀଙ୍କ ଧାନ ଓଡ଼ିଶାର ମଣ୍ଡିରେ ବିକ୍ରି କରୁଥିବା କେହି ଧରା ପଡ଼ିଲେ କ୍ଷମା କରାଯିବ ନାହିଁ । ସିଧାସଳଖ ଜେଲରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂଦେଓ ।
ସିଏମ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ବେଳେ ମଣ୍ଡିରେ ଦଲାଲଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେଭି । ଅନେକ ସ୍ଥାନରେ ଛତିଶଗଡର ଚାଷୀଙ୍କ ଧାନକୁ ଆଣି ଓଡ଼ିଶା ମଣ୍ଡିରେ ବିକ୍ରି କରାଯାଉଥିବା ଦେଖାଯାଉଛି । ଏଥିରେ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ରହୁଛି ।ଏମାନଙ୍କ ବିରୋଧରେ ଜିରୋ ଟଲେରାନସ ନୀତି ଆପଣାଯିବ ବୋଲି ପୂର୍ବରୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମଣ୍ଡି ଓଡ଼ିଶାର ଚାଷୀଙ୍କ ଧାନ ବିକ୍ରି ପାଇଁ। ଏଠାରେ ଛତିଶଗଡ଼ର ଚାଷୀଙ୍କ ଧାନକୁ ବିକ୍ରି କରାଇଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେଭି ସିଂଦେଓ ।
ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ସରକାର ଇନପୁଟ୍ ସବସିଡି ବାବଦକୁ ୮୦୦ ଟଙ୍କା ଦେଉଛନ୍ତି। ତେଣୁ ବେପାରୀ ଏହାର ଫାଇଦା ଉଠାଇବାକୁ ଛତିଶଗଡ଼ରୁ ଧାନ ଉଠାଉଛନ୍ତି । ଓଡ଼ିଶାର ଅନେକ ଚାଷୀ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ଆଣୁଥିବା ବେଳେ ଛତିଶଗଡରୁ ଧାନ ଆଣି ବେପାରୀ ବିକ୍ରି କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଚାଷୀ । ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସିଧା ଜେଲରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।