ପୁରୀ : ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି। ମନ୍ଦିର ଭିତରେ ପୁଣି ଧରାପଡିଲା ହିଡେନ୍ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରାରେ ସୁଟିଂ କରୁଥିବା ବେଳେ ଜଣେ ବ୍ୟକ୍ତି ଧରା ପଡିଛନ୍ତି । ଘଣ୍ଟି ଦ୍ୱାର ନିକଟରେ ବ୍ୟକ୍ତିଜଣଙ୍କୁ ଧରିଲା ଜେଟିପି । ଏହାପରେ ସିଂହଦ୍ୱାର ଥାନାରେ ଜିମା ଦେଇଛନ୍ତି । ହିଡେନ୍ କ୍ୟାମେରା ନେଇ ମନ୍ଦିର ମଧ୍ୟ ପ୍ରବେଶ କରିଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଅରୂପ ରାୟ ବୋଲି ଜଣାପଡିଛି।
ବୁଧବାର ସକାଳେ ଅରୂପ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ଦର୍ଶନ ପାଇଁ ଯିବା ବେଳେ ଚଷମା ସଂଯୁକ୍ତ ହିଡେନ୍ କ୍ୟାମେରା ଶ୍ରୀମନ୍ଦିରକୁ ନେଇ ପ୍ରବେଶ କରିଥିଲେ। ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରେ ସୁଟିଂ କରୁଥିବା ନେଇ ସୁରକ୍ଷା କର୍ମୀଙ୍କ ସନ୍ଦେହ କରିଥିଲେ। ତେବେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରର ଭିଜୁଆଲ ନେଉଥିବା ଜଣାପଡିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଗାରଦ ଓ ପରେ ସିଂହଦ୍ଵାର ଥାନାକୁ ସୁରକ୍ଷା କର୍ମୀ ନେଇଯାଇଥିଲେ।
ସେପଟେ ପୁରୀ ଏସପି କହିଛନ୍ତି ଶ୍ରୀମନ୍ଦିର ଭିତରେ ହିଡେନ କ୍ୟାମେରା ନେଇ ଯାଇଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କେଉଁ ପରିସ୍ଥିତିରେ ଏବଂ କଣ ଉଦ୍ଦେଶ୍ୟ ନେଇ ସେ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଯାଇଥିଲେ ତାର ତଦନ୍ତ ଚାଲିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ପୋଲିସ ମୋବାଇଲ ଫୋନ୍ ଜବତ କରିବା ସହ ହିଡେନ କ୍ୟାମେରା ସଂଯୁକ୍ତ ଚଷମା ମଧ୍ୟ ଜବତ କରିଛି ପୋଲିସ। ଶ୍ରୀମନ୍ଦିର ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ତିନି ମାସ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷାରେ କ୍ରମାଗତ ଭାବେ ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମେ ମେଘନାଦ ପାଚେରୀ ଡେଇଁ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ କିଛି ଦୁର୍ବୃତ୍ତ । ଏହାପରେ ବାରମ୍ବାର ହିଡେନ୍ କ୍ୟାମେରା ନେଇ ମନ୍ଦିର ମଧ୍ୟକୁ କେହି ନା କେହି ପ୍ରବେଶ କରିଥିବାର ଖବର ଆସିଛି । ଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ସହ ପ୍ରବେଶର ତିନୋଟି ମାମଲା ସାମ୍ନାକୁ ଆସିଛି ।