ପୁରୀ: ପ୍ରଭୁ ଗଜାନନଙ୍କ ପୂଜା ତଥା ଗଣେଶ ପୂଜାକୁ ନେଇ ସାରା ଦେଶ ଏବେ ଉତ୍ସବମୁଖର । ଏହି ଅବସରରେ ନିଆରା ଢଙ୍ଗରେ ଦେଶବାସୀଙ୍କୁ ପବିତ୍ର ଗଣେଶ ପୂଜାର ଶୁଭେଚ୍ଛା ଜଣାଇଲେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ୧୫ଶହ ଲେମ୍ବୁକୁ ନେଇ ଲେମନ ଗଣେଶଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁଦର୍ଶନ ଏକ ନିଆରା ବାଲୁକାରେ ଚିତ୍ରକଳା ନିର୍ମାଣ କରିଛନ୍ତି । ବାଲିରେ ଲେମନ୍ ଗଣେଶ ମୂର୍ତ୍ତି ସେ ନିର୍ମାଣ କରିଛନ୍ତି । ଦେଢ଼ ହଜାର ଲେମ୍ବୁକୁ ଏହି ବାଲୁକା ଚିତ୍ରକଳାରେ ସ୍ଥାପନ କରାଯାଇଛି। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ତେବେ ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା 'ଆତ୍ମ ନିର୍ଭର ଭାରତ'ର ବାର୍ତ୍ତା ରହିଛି । ଲୋକାଲ୍ ଫର୍ ଭୋକାଲର ବାର୍ତ୍ତା ମଧ୍ୟ ରହିଛି । ବ୍ରହ୍ମୋଷ, ବାୟୂ ପ୍ରତୀରକ୍ଷା ପ୍ରଣାଳୀ ସୁଦର୍ଶନ ଚକ୍ର, ମେକ୍ ଇନ୍ ଇଣ୍ଡିଆ ପ୍ରଭୃତି ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକୁ ଏହି ବାଲୁକାକଳାରେ ଦର୍ଶାଯାଇଛି । ଏହି ନିଆରା ଲେମନ ଗଣେଶକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମିଛି।