ଭୁବନେଶ୍ୱର: ଲୋକସେବା ଭବନ କନଭେନସନ ହଲ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଶା ଟେକ୍ସ ୨୦୨୫’ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ, ଗଞ୍ଜାମରେ ୬ଟି ଟେକ୍ସଟାଇଲ୍ ପାର୍କର ଉଦଘାଟନ କରିଛନ୍ତି । ଏହା ମାଧ୍ୟମରେ ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରଖାଯାଇଛି । ଯାହା ଫଳରେ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, "ବୟନ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ଆମର ଲକ୍ଷ୍ୟ । ଓଡ଼ିଶାର ବସ୍ତ୍ର ପୂରା ଦେଶରେ ପହଞ୍ଚାଇବାକୁ ହେବ । ୩୩ ଏମ୍ଓୟୁ ସ୍ବାକ୍ଷରିତ, ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହିତ ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଶିଳ୍ପପତି ଯୋଗ ଦେଇଥିଲେ । ‘ଓଡ଼ିଶା ଟେକ୍ସ ୨୦୨୫’ ସମୃଦ୍ଧ ଓଡ଼ିଶା ୨୦୩୬ ଦିଗରେ ଏକ ଦୃଢ଼ ପଦକ୍ଷେପ ହେବ । ଯାହା ରାଜ୍ୟକୁ ଦେଶରେ ଅଗ୍ରଣୀ ରାଜ୍ୟ ଭାବରେ ପରିଣତ କରିବ । ଏହା ମାଧ୍ୟମରେ ଓଡ଼ିଶା ଅଗ୍ରଗତି କରିବ । ଓଡ଼ିଶାର ଲୋକମାନଙ୍କୁ ଓଡ଼ିଶାରେ ନିଯୁକ୍ତି ମିଳିବ । ନିଯୁକ୍ତି ପାଇଁ ଓଡ଼ିଶା ଲୋକେ ଆଉ ଓଡିଶା ବାହାରକୁ ଯିବେନି ।ଓଡ଼ିଶାରେ ଅଧିକ ନିବେଶ କରିବା ସହ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।