ମାଲକାନଗିରି: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମାଓବାଦୀଙ୍କୁ ଦେଇଥିବା ଡେଡ୍ ଲାଇନ୍ ଧିରେ ଧିରେ ଶେଷ ହୋଇ ଆସୁଛି । ଆଉ ଲାଲଗଡ଼ ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ବୁଧବାର ପୁଣି ଜଣେ କ୍ୟାଡର୍ ମାଓବାଦୀ ସୁକ୍ରାମ ମାଡ଼କାମ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛି ।
ସୁକ୍ରାମ ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ଓଡ଼ିଶା ଓ ଛତିଶଗଡ଼ ସୀମାରେ ବିଭିନ୍ନ ମାଓବାଦୀ ହିଂସାକାଣ୍ଡରେ ସାମିଲ ଥିଲା । ଏସ୍ଏଲ୍ଆର୍ ବନ୍ଧୁକ, ଜୀବନ୍ତ ଗୁଳି, ଡିଟୋନେଟର୍, ତାର ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି । ସୁକ୍ରାମକୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରାଯିବ । ତେବେ ଅନ୍ୟ ଯେଉଁମାନେ ଅଛନ୍ତି ସମସ୍ତେ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏସପି ମାଓବାଦୀଙ୍କୁ ଆହ୍ୱାନ କରିଛନ୍ତି ।
ପ୍ରକାଶ ଯୋଗ୍ୟ, ଗତକାଲି ରାଉରକେଲା ପୋଲିସ ନିକଟରେ ୧୮ ବର୍ଷିୟ ମାଓବାଦୀ ପ୍ରଭୁ ଆତ୍ମସମର୍ପଣ କରିଥିଲା । ଦକ୍ଷିଣାଞ୍ଚଳ ଆଇଜି ବ୍ରିଜେୟ କୁମାର ରାଏ ଏବଂ ରାଉରକେଲା ଏସପି ନିତେଶ ଗଡ଼ୱାନୀ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ସେ ଝାଡ଼ଖଣ୍ଡ ଦକ୍ଷିଣ ସିଂହଭୂମ ଜିଲ୍ଲାର ଛୋଟନାଗ୍ରା ଥାନା ହାଲାମୁଲି ଗ୍ରାମର ମୂଳ ବାସିନ୍ଦା ଅଟେ ।