ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଖାରବେଳଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯାଇ ସେସବୁର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍ ଅନୁମୋଦନ ଅନୁସାରେ ଗତ ୨୦୨୬ ଜାନୁଆରୀ ୩୧ ତାରିଖ ସୁଦ୍ଧା ହୋଇଥିବା ଖର୍ଚ୍ଚ ଓ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା କରାଯାଇଥିଲା । ବିଭିନ୍ନ କ୍ଷେତ୍ରଓ୍ୱାରୀଖର୍ଚ୍ଚ ସମୀକ୍ଷା କରାଯାଇଥିଲା । କୃଷି, ମତ୍ସ୍ୟ ଓ ପ୍ରାଣୀପାଳନ, ସମବାୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶକ୍ତି ଓ ସାମାଜିକ କ୍ଷେତ୍ରରେ ଗତ ବର୍ଷ ଏହି ସମୟ ମଧ୍ୟରେ ହୋଇଥିବା ଖର୍ଚ୍ଚ ତୁଳନାରେ ଚଳିତ ବର୍ଷ ଖର୍ଚ୍ଚ ହାର ଅଧିକ ବୃଦ୍ଧି ପାଇଥିବା ବୈଠକରୁ ଜଣାଯାଇଛି । ଅଧିକ ବ୍ୟୟବରାଦ ହୋଇଥିବା ବିଭିନ୍ନ ବିଭାଗ ସହିତ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚ ସମୀକ୍ଷା ହୋଇଥିଲା । ଚଳିତ ଆର୍ଥିକ ବର୍ଷ ସରିବାକୁ ୨ ମାସ ଥିବାରୁ ଏହା ଭିତରେ କାର୍ଯ୍ୟ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ଏବଂ ରାଜସ୍ୱ ସଂଗ୍ରହ ସହିତ ସଂପୃକ୍ତ ବିଭାଗମାନଙ୍କୁ ଧାର୍ଯ୍ୟ ଅନୁସାରେ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଏବଂ ପରାମର୍ଶ ଦିଆଯାଇଛି ।
ଶିଳ୍ପ, କ୍ରୀଡା, ବିଜ୍ଞାନ ଓ କାରିଗରୀ, ହସ୍ତତନ୍ତ ଓ ବୟନଶିଳ୍ପ, ପର୍ଯ୍ୟଟନ, ଇଲୋକଟ୍ରୋନିକ ଓ ଆଇଟି, ଏମଏସଏମଇ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ଭଳି ଦ୍ରୁତ ଗତିରେ ବିକାଶ ପାଉଥିବା ଏବଂ ଭବିଷ୍ୟତରେ ଦେଶ ଏବଂ ରାଜ୍ୟର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ଥିବା କ୍ଷେତ୍ରକୁ ଉଦୀୟମାନ କ୍ଷେତ୍ର ( ସନ ରାଇଜ୍ ସେକ୍ଟର) ଭାବେ ବିବେଚନା କରାଯାଇ ସେସବୁ କ୍ଷେତ୍ରକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୧୫ କାର୍ଯ୍ୟସୂଚୀ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ବିଭାଗମାନେ ଏ ସଂପର୍କରେ ବିବରଣୀ ପ୍ରଦାନ କରିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ କରୁନଥିବା ତଥା ଦୁର୍ନୀତିଗସ୍ତ, ଅପାରଗଅଧିକାରୀଙ୍କ ବିରୁଦ୍ଧରେ ଦୁଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ସଂପର୍କିତ ବିବରଣୀ ଆଗାମୀ ମାସରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକୁ ଅଧିକ ଦକ୍ଷ ଏବଂ ଉତ୍ତରଦାୟୀ କରିବା ପାଇଁ ବିଭାଗମାନଙ୍କରେ ମିଶନ କର୍ମଯୋଗୀ ଆଇ–ଜିଓଟି ପ୍ଲାଟଫର୍ମରେ ଅଧିକାରୀ ଓ କର୍ମଚାରୀମାନଙ୍କର ପ୍ରଶିକ୍ଷଣ ସଂପର୍କରେ ନିୟମିତ ସମୀକ୍ଷା କରିବାକୁନିର୍ଦ୍ଦେଶ ଦିଆଯାଇଛି ।ସରକାରୀ କାର୍ଯ୍ୟାଳୟରେଓଡ଼ିଆ ଭାଷାର ବ୍ୟବହାର ସହିତ ଯେଉଁ ସବୁ ବିଭାଗର ଓ୍ୱେବ୍ ସାଇଟ୍ଇଂରାଜୀ ଭାଷାରେ ରହିଛି, ଏବଂ ଏପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଅଦ୍ୟତନ କରାଯାଇନାହିଁ, ତାହାକୁ ନିୟମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଇତି ମଧ୍ୟରେ କେନ୍ଦ୍ର ବଜେଟ୍ ଆଗତ ହୋଇସାରିଥିବାରୁ ରାଜ୍ୟରେ “ଓଡ଼ିଶା ଭିଜନ” ବିକଶିତ ଓଡ଼ିଶା ଲକ୍ଷ୍ୟକୁ ପୂରଣ କରିବାରେ ଏହା କିପରି ସଂଯୋଜିତ କରୁଛି, ତାହାକୁ ଲକ୍ଷ୍ୟ ରଖି ରାଜ୍ୟର ଆଗାମୀ ବଜେଟ୍ରେ ପ୍ରସ୍ତୁତି କିପରି ରହିବ, ଜନସାଧାରଣଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ତଦନୁସାରେ ବଜେଟ୍ କୁ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମରେ ଅଭିନବତ୍ୱ ଆଣିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଉନ୍ନୟନ କମିଶନର ତଥା ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସିଂ, ରାଜସ୍ୱ ସଂଗ୍ରହ ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ସଚିବମାନଙ୍କର କ୍ଷେତ୍ର ପରିଦର୍ଶନ ସଂପର୍କରେ ଗୁରୁତ୍ୱାରୋପ କରି ଗସ୍ତ ସମୟରେ ବିଭାଗୀୟ କାର୍ଯ୍ୟ ସହିତ ପାନୀୟ ଜଳ, ବିଦ୍ୟାଳୟ ପରିଦର୍ଶନ, କାର୍ଯ୍ୟକାରୀ ହେଉଥିବା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ମଧ୍ୟ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନରେ ରହୁଥିବା ଆନ୍ତଃ ବିଭାଗୀୟ ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଥିଲା ।