ଯାଜପୁର: ଓଡ଼ିଶା ଗସ୍ତରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଜପୁର ଗସ୍ତ କରିଛନ୍ତି । ମଙ୍ଗଳବାର ଯାଜପୁରରେ ପହଁଚିବା ପରେ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିବା ସହିତ ସେଠାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି । ବିରଜା ମନ୍ଦିର ପରିକ୍ରମା କରିଛନ୍ତି । ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ପ୍ରବଳ ଜନତାଙ୍କ ସମାଗମ ହୋଇଥିଲା ।
ସେଠାରୁ ରାଷ୍ଟ୍ରପତି ସିଧାସଳଖ ବାଲେଶ୍ୱର ଅଭିମୁଖେ ଯାତ୍ରା କରିବେ । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ବାଲେଶ୍ୱରରେ କାର୍ଯ୍ୟକ୍ରମ ଶେଷ ହେବା ପରେ ସଂଧ୍ୟାରେ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ଶ୍ରୀ ଜୀଉମାନଙ୍କ ଦର୍ଶନ କରିବେ । ୪ ତାରିଖ ସକାଳେ ମୟୂରଭଞ୍ଜ ଓ ୫ ତାରିଖ ସକାଳେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରଠାରେ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ଣରେ ସିମିଳିପାଳ ଗସ୍ତ କରିବେ । ୬ ତାରିଖ ସକାଳେ ସେଠାରେ ମହିଳା ଏବଂ ଆଦିବାସୀ ଗୋଷ୍ଠୀର ଯୁବବର୍ଗଙ୍କ ସହିତ ବାର୍ତ୍ତା ବିନିମୟ କରିବେ । ଅପରାହ୍ଣରେ ଭୁବନେଶ୍ୱରରେ ପହଁଚି ଓଡ଼ିଶା ସରକାର ଏବଂ ଗ୍ଲୋବାଲ ଫିନାନ୍ସ ଟେକ୍ନୋଲୋଜି ନେଟଓ୍ୱର୍କର ମିଳିତ ଆୟୋଜନରେ ଅନୁଷ୍ଠିତ “ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଇଣ୍ଡିଆ” କାର୍ଯ୍ୟକ୍ରମରେ ଯୋଗଦେବେ । ମାନ୍ୟବର ରାଷ୍ଟ୍ରପତି ୭ ତାରିଖ ସକାଳୁ ଭୁବନେଶ୍ୱର ବିମାନ ବନ୍ଦରରୁ ଛତିଶଗଡ଼ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।