ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ ଏବଂ କନ୍ୟା ସନ୍ତାନଙ୍କ ପ୍ରତି ସମାଜରେ ଏକ ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ଯୋଜନାର ଶୁଭାରମ୍ଭ ପୂର୍ବରୁ ସୋସିଆଲ୍ ମିଡ଼ିଆ ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ଓ ବିଶେଷକରି ମହିଳାମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି କ୍ରମରେ ଆଜି ''ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା''ର ଶୁଭାରମ୍ଭ କରାଯାଉଛି। ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ସାଜିବ । ”
ମୋହନ ଆହୁରି କହିଛନ୍ତି, “ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ ଏବଂ କନ୍ୟା ସନ୍ତାନଙ୍କ ପ୍ରତି ସମାଜରେ ଏକ ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ସହ ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରି ମହିଳାଙ୍କ ସାମାଜିକ ସୁରକ୍ଷାକୁ ଆମେ ଆହୁରି ସୁନିଶ୍ଚିତ କରୁଛୁ । ଆର୍ଥିକ ଅନଗ୍ରସର ପରିବାରର ମୁରବୀଙ୍କ କାନ୍ଧରୁ ଚିନ୍ତା ହଟାଇ ଝିଅମାନଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ନୂଆ ଜୀବନ ପ୍ରଦାନ କରିବା ଆମର ଲକ୍ଷ୍ୟ । ଲୋକଙ୍କ ସରକାର ସବୁ ସମୟରେ ଆପଣଙ୍କ ସୁଖ ଓ ସମୃଦ୍ଧି ପାଇଁ କାମ କରୁଛି।”
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଗଞ୍ଜାମର ମାଆ ତାରାତାରିଣୀଙ୍କ ପୀଠରେ ଏହାର ଶୁଭାରମ୍ଭ କରିବେ । କନ୍ୟାର ବୟସ ୧୮ ରୁ ୩୫ ବର୍ଷ ଭିତରେ ଥିବା ବେଳେ ବରର ବୟସସୀମା ୨୧ ରୁ ୩୫ ବର୍ଷ ହେବା ଦରକାର । ଲାଭାର୍ଥୀଙ୍କୁ ୬୦ ହଜାର ଲେଖାଏଁ ଦିଆଯିବ । ବିବାହର ସବୁ ଖର୍ଚ୍ଚ ସରକାର ବହନ କରିବେ । ସାମୁହିକ ବିବାହରେ ପ୍ରାୟ ୨୦୦ ଦମ୍ପତି ଯୋଗଦେବେ।