ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପ୍ରବଳ ହଙ୍ଗାମା ହୋଇଛି । ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ଦୁଇ ଥର ସ୍ଥଗିତ ରଖିବା ପରେ ପୁଣି ଥରେ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ରାହୁଲ ଗାନ୍ଧୀ ଗୃହରେ ଭାରତ-ଚୀନ ବିବାଦ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ରାହୁଲ ପୂର୍ବତନ ସେନା ମୁଖ୍ୟ ମୁକୁନ୍ଦ ନରବଣେଙ୍କ ଅନ୍ମୋଚିତ ପୁସ୍ତକକୁ ନେଇ ପ୍ରଶ୍ନ ଉଠାଇଥିଲେ । ରାହୁଲ କହିଥିଲେ ବିଜେପି ସାଂସଦ କହିଛନ୍ତି ଯେ ଆମେ ଦେଶ ଭକ୍ତ । କିନ୍ତୁ ପୂର୍ବତନ ସେନା ମୁଖ୍ୟ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ଚୀନ ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରୁଛନ୍ତି । ସରକାର କାହିଁକି ଏହି ପୁସ୍ତକୁ ଉନ୍ମୋଚିତ ହେବାକୁ ଦେଉ ନାହାଁନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କ୍ରୋଧିତ ହୋଇଯାଇଥିଲେ । ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "ରାହୁଲ ଗାନ୍ଧୀ ଯେଉଁ ପୁସ୍ତକ ବିଷୟରେ କହୁଛନ୍ତି ତାହା ପ୍ରକାଶିତ ହୋଇନାହିଁ । ଯଦି ସେହି ପୁସ୍ତକରେ ଥିବା ତଥ୍ୟ ସଠିକ୍ ହୋଇଥାନ୍ତା, ତେବେ ଏହା ନିଶ୍ଚିତ ଭାବରେ ପ୍ରକାଶିତ ହୋଇଥାନ୍ତା। ଯଦି ରାହୁଲ ଗାନ୍ଧୀ ଭାବନ୍ତି ଯେ ସରକାର ଭୁଲ ଭାବରେ ପୁସ୍ତକକୁ ନିଷିଦ୍ଧ କରିଛନ୍ତି, ତେବେ ପୂର୍ବତନ ସେନା ମୁଖ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତେ।"
ଗୃହରେ ଆରମ୍ଭ ହୋଇଥିବା ଉଷ୍ମ ବିତର୍କ ଉପରେ ବକ୍ତବ୍ୟ ରଖି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଗୃହରେ କଂଗ୍ରେସ ଯାହା କହିଛି ତାହା କେଉଁଟା ବି ସତ୍ୟ ନୁହେଁ ।
ଏହାରି ମଧ୍ୟର ଗୃହରେ ଶାସକ ଓ ବିରୋଧୀ ଦଳ ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ବାଚସ୍ପତି ବାରମ୍ବାର ଶାନ୍ତି ରଖିବାକୁ ବିନମ୍ର ଅନୁରୋଧ କରିଥିଲେ । ରାହୁଲ ଗାନ୍ଧୀ ବାଚସ୍ପତି ଓମ୍ ବିର୍ଲାଙ୍କୁ କହିଥିଲେ, "ମୋତେ କହିବାକୁ ଦିଆଯାଉନାହିଁ। ମୋର କଥା ଚୀନ୍ ବିଷୟରେ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚରିତ୍ର ବିଷୟରେ। ମହାଶୟ, ଦୟାକରି ମୋତେ କ'ଣ କହିବାକୁ ଅଛି ତାହା କୁହନ୍ତୁ।"
ଏହାର ଉତ୍ତର ଦେଇ ବାଚସ୍ପତି କହିଥିଲେ, "ମୁଁ ଆପଣଙ୍କର ପରାମର୍ଶଦାତା ନୁହେଁ, କିନ୍ତୁ ବାଚସ୍ପତି ଭାବରେ, ଏହା ନିଶ୍ଚିତ କରିବା ମୋର ଦାୟିତ୍ୱ ଯେ ଗୃହ ନିୟମ ଏବଂ ପ୍ରକ୍ରିୟା ଅନୁଯାୟୀ ଚାଲିବ ଏବଂ ଆମେ ଆଲୋଚନା ହେଉଥିବା ବିଷୟକୁ ସମ୍ବୋଧିତ କରିବୁ। ତେଣୁ, ମୁଁ ଆପଣଙ୍କୁ ଗୃହର ସାଜସଜ୍ଜା ବଜାୟ ରଖିବାକୁ ଅନୁରୋଧ କରୁଛି।"
ବାଚସ୍ପତି ଓମ୍ ବିର୍ଲା ଗୃହର ମର୍ଯ୍ୟାଦା ରକ୍ଷା କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହି ଟୀକା ଟିପ୍ପଣୀ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ପ୍ରାୟ ୪୪ ମିନିଟ୍ ଧରି ରାହୁଲ ଗାନ୍ଧୀ ଏବଂ ବାଚସ୍ପତିଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା । ଏହାରି ମଧ୍ୟରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ସ୍ଥଗିତ ରଖିଥିଲେ । ଅପରାହ୍ନ 3ଟାରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାହୁଲ ପୁନର୍ବାର ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ଦଳ ନେତା ନିଜ ମନ୍ତବ୍ୟରୁ ବିରତ ନ ରହିବାରୁ ବାଚସ୍ପତି ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।