ଭୁବନେଶ୍ୱର: ଦଳର ମର୍ଯ୍ୟାଦା ଏବଂ ରାଜ୍ୟ ସ୍ୱାର୍ଥ ପାଇଁ ଓଡ଼ିଶା କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲଢ଼ିବ । ଖୁବ ଶୀଘ୍ର ଆଲୋଚନା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ଭକ୍ତ ଦାସ ଯାଜପୁର ଗସ୍ତ ସମୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ଖୁବଶୀଘ୍ର ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ । ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନବୀନଙ୍କ ସହିତ ସେ ଭେଟି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଉପରେ ଆଲୋଚନା କରିବେ । ବିରୋଧୀ ଦଳ ପାଖରେ ସୁଯୋଗ ରହିଛି । ତେଣୁ ଆଲୋଚନା କଲେ ଅନେକ କଥା ସାମ୍ନାକୁ ଆସିବ । ବିଜେଡି ଓ କଂଗ୍ରେସ ସଂଖ୍ୟାକୁ ନେଇ ସମ୍ଭାବନା ରହିଛି । ସମ୍ଭାବନାକୁ ଚେଷ୍ଟା କରିବା ରାଜନୈତିକ ଅପରାଧ ନୁହେଁ । ଆମେ ଜାଣିଛୁ ଜିତିପାରବୁନି, ହେଲେ ରାଜ୍ୟର ସ୍ୱାର୍ଥ୍ୟ ପାଇଁ ଆମେ ଲଢିବୁ । ଦଳର ମର୍ଯ୍ୟାଦା ପାଇଁ ଲଢିବୁ ବୋଲି ଭକ୍ତ କହିଛନ୍ତି ।
ଆସନ୍ତା ଏପ୍ରିଲରେ ରାଜ୍ୟସଭାରେ ଓଡ଼ିଶାର ଚାରୋଟି ଆସନ ଖାଲି ହେବାକୁ ଯାଉଛି । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ଦୁଇଟି ଆସନ ହାତେଇବ । ଏହା ପରେ ଦ୍ୱିତୀୟ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡ଼ି ଖାତାକୁ ଗୋଟିଏ ଆସନ ଯିବ । କିନ୍ତୁ ଆଉ ଗୋଟିଏ ଆସନ ପାଇଁ କୌଣସି ଦଳର ଅଙ୍କ ଛିଡ଼ୁ ନାହିଁ । ଏହାରି ମଧ୍ୟରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଘୋଡ଼ା ବେପାର ହେବା ସମ୍ଭାବନା ରହିଛି । କାରଣ ଭକ୍ତ ଦାସ ବିଜେଡ଼ି ସହିତ କଂଗ୍ରେସ ମିଶିକି ପ୍ରାର୍ଥୀ ଦେବ ବୋଲି ବାରମ୍ବାର କହୁଛନ୍ତି । ସେପଟେ ବିଜେପି ତିନୋଟି ଆସନ ନେବ ବୋଲି ଦଳର ଅନେକ ତୁଙ୍ଗ ନେତା ଦମ୍ଭର ସହିତ କହିଛନ୍ତି ।