ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ଦିନିଆ ଗସ୍ତରେ ରାଷ୍ଟ୍ରପତି ଓଡିଶା ଆସୁଥିବା ବେଳେ ଆଜି ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ଲୋକଭବନ ଯାଇ ରାତ୍ରିଯାପନ କରିବେ । ୩ ତାରିଖ ସକାଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ଯାଜପୁର ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍ରେ ଅବତରଣ କରିବେ । ସେଠାରୁ ମା’ ବିରଜାଙ୍କ ଦର୍ଶନ ପାଇଁ ଯିବେ । ପ୍ରାୟ ଦେଢ଼ ଘଣ୍ଟା ଧରି ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ବାଲେଶ୍ବର ଯାଇ ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏଥିପାଇଁ ବାଲେଶ୍ବରରେ ଜିଲ୍ଲା ପ୍ରଶାସନ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିବେ । ସନ୍ଧ୍ୟାରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଳତି ଦର୍ଶନ ସହ ପିଣ୍ଡଦାନ କରିବେ । ପୁରୀ ଲୋକଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।
ଫେବୃଆରୀ ୪ ତାରିଖ ସକାଳ ୧୧.୧୦ ସମୟରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ୧୧.୩୦ ସମୟରେ କେନ୍ଦ୍ର ସରକାରଙ୍କ ହଲି ଡେ' ହୋମ୍ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ୧୨.୦୦ ସମୟରେ ମହୁଲଡିହା ସ୍ଥିତ ସରକାରୀ ଏସଏସଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ । ଏଥିସହ ଏହି ବିଦ୍ୟାଳୟରେ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।
ଫେବୃଆରୀ ୬ରେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କର ରହିଛି ବିଭିନ୍ନ କାର୍ଯ୍ୟକ୍ରମ। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଶିମିଳିପାଳ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ସୁରକ୍ଷା ଦୃଷ୍ଟିରୁ ଫେବୃଆରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଫେବୃଆରୀ ୭ ସକାଳ ୯ଟା ୧୦ମିନିଟରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଛତିଶଗଡ଼ ଜଗଦଲପୁର ଯିବେ । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି ।