ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ ସମବାୟ ନୀତିକୁ ମଞ୍ଜୁରୀ ମିଳିଛି । ଶନିବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ମୁତାବକ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପୂର୍ବ କ୍ୟାବିନେଟରେ ପ୍ରସ୍ତାବ ରଖାଯାଇଥିବା ଓଡ଼ିଶା ସଂସ୍କୃତି ବିକାଶ ସେବା ନିୟମାବଳୀକୁ ଅନୁମତି ମିଳିଛି । ଏଥିପେ ୩୩ରୁ ୬୬ ନିଯୁକ୍ତି ସୃଷ୍ଟି ହେବ । ଓଡ଼ିଶା ଭାଷା ଓ ସଂସ୍କୃତିକୁ ବଢ଼ାଇବାକୁ କଣ ପଦକ୍ଷେପ ନିଆଯିବ ତାହା ଉପରେ କ୍ୟାବିନେଟରେ ତଥ୍ୟ ରଖିଛନ୍ତି ।
ଶିଳ୍ପ ବିଭାଗର କଲ୍ୟାଣୀ ଗ୍ରୁପ ତରଫ ରରୁ ଇଣ୍ଡିଗ୍ରେଟେଡ଼ ନ୍ୟୁ ଏଜ ମାନୁଫେକଚର କମ୍ପ୍ଲେକ୍ସ ଢେଙ୍କାନାଳର ଗଜମରା ଠାରେ ୧୧ ସହ ଏକର ଜମିରେ ନିର୍ମାଣ ହେବ । ୧୭ ହଜାର ୨୫୦ କୋଟି ଟଙ୍କାର ନିବେଶ ହେବ । ପ୍ରାୟ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରାରମ୍ଭିକ ସମୟରେ ୧୨ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ । ଟାଇଟନିୟମ, ସ୍ପେଶାଲ ଷ୍ଟିଲ, ଅଟୋ କମ୍ପନେଟ, ଏରୋସ୍ପେଶ, ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରାଯିବ ।
ରାଜ୍ୟ ସମବାୟ ନୀତି-୨୦୨୬କୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଜାତୀୟ ସମବାୟ ନୀତି-୨୦୨୫ ଢାଞ୍ଚାରେ ଏହି ନୀତି ପ୍ରସ୍ତୁତ ହୋଇଛି । ୭ଟି ବିନ୍ଦୁକୁ ନେଇ ସମବାୟ ନୀତି ଆସିଛି । ନିଯୁକ୍ତିରେ ସ୍ୱଚ୍ଛତା, ଭିତ୍ତିଭୂମି, ଡିଜିଟାଲ ବ୍ୟବସ୍ଥା, ଆର୍ଥିକ ବ୍ୟବସ୍ଥା ଆଦିକୁ ଦୃଷ୍ଟିରେ ରଖାଯାଇଛି । ଶ୍ରମ ବିଭାଗର ଇସିଆଇର ନର୍ସିଂ କ୍ୟାଡର୍ ନିୟମକୁ ଅନୁମୋଦନ ମିଳିଛି । ୨୦୧୪ ପଦବୀରୁ ୨୫୪ଟି ପଦ ନର୍ସିଂ କ୍ୟାଡରରେ ଆସିବ ।
ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ଟଙ୍କାର ତିନି ବର୍ଷ ପାଇଁ ଇମ୍ପ୍ରୁଭମେଣ୍ଟ୍ ଟୁ ଡାଇଭର୍ସନ୍ ୱେର୍ସ ନୂତନ ଯୋଜନା ପ୍ରଣୟନ କରାଯାଇଛି । କେନାଲ ଓ ଗେଟ୍ ମରାମତି ଆଦି କରାଯିବ । ରାଜ୍ୟରେ ଏଭଳି ୧୧୩୩ ଡାଇଭର୍ସନ୍ ମଧ୍ୟରୁ ୪୮୦ଟି ଚିହ୍ନଟ କରାଯାଇଛି ଯାହା ଉପରେ କାମ ହେବ ।
ଭୁବନେଶ୍ୱରରୁ ସିଙ୍ଗାପୁର ଏବଂ ଦୁବାଇକୁ ବିମାନ ସେବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାର୍ଚ୍ଚ ମାସ ଯାଏଁ ସିଙ୍ଗାପୁର ଓ ଦୁବାଇକୁ ବିମାନ ଉଡ଼ାଣ ଜାରି ରହିବ । ପରବର୍ତ୍ତୀ ସମୟରେ ବିମାନ ଚାଲିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ-୨୦୨୬ ପ୍ରଣୟନ କରାଯାଇଛି । ଓପିଏସସି ଢାଞ୍ଚାର ନିୟମରେ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି କରାଯିବ । ତତସହିତ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ- ୨୦୨୨ର ସଂଶୋଧନ ଏବଂ ଓଡ଼ିଶା ସୁପରିୟର ଜୁଡିସିଆଲ୍ ସର୍ଭିସ, ଜୁଡିସିଆଲ୍ ସର୍ଭିସ ରୁଲ୍ସ ୨୦୦୭ ସଂଶୋଧନ ବିଲ ଅନୁମୋଦିତ ହୋଇଛି ।