ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ବିୟୋଗ ପରେ ତାଙ୍କ ଆସନକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ବିରାମ ଲାଗିଛି । ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ଅଜିତ ପାୱାର ହେବେ ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ । ଶନିବାର ସନ୍ଧ୍ୟାରେ ସେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବାର ସୂଚନା ରହିଛି ।
ଶନିବାର ଏନସିପି (ଅଜିତ ଗୁଟ) ବିଧାୟକ ଦଳ ବୈଠକରେ ସୁନେତ୍ରାଙ୍କୁ ନୂତନ ବିଧାୟକ ଦଳ ନେତା ଭାବରେ ଚୟନ କରାଯାଇଛି । ବୈଠକରେ ପ୍ରଥମେ ଦିବଂଗତ ନେତା ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ପରେ ବିଧାୟକ ଦିଲ୍ଲୀପ ବଲସେ ସୁନେତ୍ରାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଦଳର ସମସ୍ତ ସଦସ୍ୟ ଏହା ଉପରେ ସମ୍ମତି ପ୍ରକାଶ କରି ଦସ୍ତଖତ କରିଛନ୍ତି । ଏହା ପରେ ସମ୍ମତି ପତ୍ର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ପ୍ରଦାନ କରିବେ । ଏହା ପରେ ଶପଥ ଗ୍ରହଣ ହେବ । ମୁମ୍ବାଇର ଲୋକ ଭବନରେ ସୁନେତ୍ରାଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଛି । ସୁନେତ୍ରା ପାୱାର ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ସେ ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବୁଧବାର ସକାଳ ୮ଟା ୪୫ରେ ମହାରାଷ୍ଟ୍ରର ବାରାମତୀରେ ବିମାନ ଦୁର୍ଘଟଣା ହୋଇଥିଲା । ଉପମୁଖ୍ୟମନ୍ତ୍ରୀ ଶ୍ରୀ ପାୱାରଙ୍କ ସମେତ ଛଅ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଜଣେ ପିଏସଓ, ଜଣେ ଆଟେଣ୍ଡାଣ୍ଟ ଓ ଦୁଇ କ୍ରିଉ ମେମ୍ବର ପ୍ରାଣ ହରାଇଥିଲେ ।