ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ପିପିଲି ଥାନା ଅନ୍ତର୍ଗତ ଉତ୍ତରା ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯିବା ମାମଲାରେ କିନ୍ନର ସମାଜ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଏବଂ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ମୀରା ପରିଡ଼ା ।
ଗତକାଲି ରାତିଠାରୁ ଏପର୍ଯ୍ୟନ୍ତ ପୋଲିସ କୌଣସି ସୁରାକ ପାଇ ପାରିନାହିଁ । ତେଣୁ ଏହାର ପ୍ରତିବାଦରେ କିନ୍ନର ସମାଜ ରାସ୍ତା ରୋକ କରିଛି । କ୍ୟାପିଟାଲ ହସ୍ପିଟାଲ ନିକଟରେ ମୀରା ପରିଡ଼ାଙ୍କ ନିକଟରେ ସମସ୍ତେ ଧାରଣାରେ ବସିଛନ୍ତି । ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।
ସେପଟେ ରାସ୍ତା ରୋକ ପାଇଁ ରାଜଧାନୀ ରାସ୍ତା ଲୋକାରଣ୍ୟ ହୋଇଯାଇଛି । ଧାରଣା ପାଇଁ ବିଭିନ୍ନ ଯାନବାହାନ ଅଟକି ରହିଛି । ଯେପର୍ଯ୍ୟନ୍ତ ପ୍ରତିଶ୍ରୁତି ନ ମିଳିଛି ସେପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଦାବି ହୋଇଛି ।
ଗତକାଲି ରାତିରେ ସାଲେପୁର ଅଞ୍ଚଳର କିନ୍ନର ଅଞ୍ଜଳିକୁ ପିପିଲି ସିଫା ନିକଟରେ ଛୁରୀ ଭୁସି ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା । ଅଞ୍ଜଳି କିଛି ଦିନ ହେବ ସିଫା ନକଟସ୍ଥ ରାସ୍ତା କଡ଼ରେ ଛିଡ଼ା ହେଉଥିଲେ । ଗତକାଲି ତାଙ୍କୁ କେହି ଦୁଇ ଜଣ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ଚାଲିଯାଇଥିଲେ । ଅଞ୍ଜଳୀ ତାଙ୍କ ସାଥି କିନ୍ନରଙ୍କୁ ଫୋନ୍ କରି କହିଥିଲେ । ତାଙ୍କୁ ଦୁଇ ଜଣ ଛୁରୀ ଭୁସି ଦେଇଛନ୍ତି କହିବା ପରେ ଆଉ କିଛି କହିନଥିଲେ । ଖବର ପାଇ ପିପିଲି ଥାନା ପୋଲିସ ପହଁଚି ଘଟଣା ସ୍ଥଳରୁ ତାଙ୍କ ମୃତ ଅବସ୍ଥାରେ ପାଇଥିଲା । କିଏ ଓ କାହିଁକି ହତ୍ୟା କରିଛି କିଛି ଜଣାପଡ଼ିନଥିବାବେଳେ ପିପିଲି ପୋଲିସ ହତ୍ୟାକାଣ୍ଡର ତଦନ୍ତ କରୁଛି ।