ଯାଜପୁର: ଆଜିଠାରୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ଆଜି ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ରାତ୍ରିଯାପନ କରିବେ। ରାଷ୍ଟ୍ରପତି ଆସୁଥିବାରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତା ତିନି ତାରିଖରେ ରାଷ୍ଟ୍ରପତି ଯାଜପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ମହାମହିମଙ୍କ ଗସ୍ତକୁ ଆଖି ଆଗରେ ରଖି ଆସନ୍ତାକାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। କାଲି ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ ଓ ପିଣ୍ଡଦାନ ଥିବାରୁ ପୌରପାଳିକା ସମେତ ସହର ସଂଲଗ୍ନ ସବୁ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଇଓ ଛୁଟି ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଷ୍ଟ୍ରପତି ବାୟୁସେନା ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧା ଲୋକ ଭବନକୁ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ ଏବଂ କଡ଼ା ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ଭୁବନେଶ୍ୱରରେ ପହଞ୍ଚି ସେଦିନ ଲୋକ ଭବନରେ କିଛି ସାକ୍ଷାତ କାର୍ଯ୍ୟକ୍ରମ ପରେ ରାତି ରହଣି କରିବେ। ଆସନ୍ତାକାଲି ଅର୍ଥାତ ୩ ତାରିଖ ସକାଳେ ସେ ଯାଜପୁର ଗସ୍ତ କରି ବିରଜା ମନ୍ଦିର ପରିଦର୍ଶନ କରି ନାଭି ଗୟାଠାରେ ପୂଜାର୍ଚ୍ଚନା କରିବେ। ଅପରାହ୍ଣରେ ବାଲେଶ୍ୱର ଗସ୍ତ କରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢନ୍ତୁ: ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ; ନାଭିଗୟାରେ ପିଣ୍ଡଦାନ ପରେ ଶ୍ରୀକ୍ଷେତ୍ର ଦର୍ଶନ