ଭୁବନେଶ୍ବର: ଆଜି ଯାଜପୁର ଓ ବାଲେଶ୍ୱର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲୋକଭବନରୁ ବାହାରି ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମେ ଯାଜପୁର ଯିବେ। ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍ରେ ଅବତରଣ କାର୍ଯ୍ୟକ୍ରମ ରହିଛି। ମା’ ବିରଜାଙ୍କ ଦର୍ଶନ ପ୍ରାୟ ଦେଢ଼ ଘଣ୍ଟା କରିବା ପରେ ବାଲେଶ୍ୱର ଗସ୍ତ କରିବେ। ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି। ସନ୍ଧ୍ୟାରେ ପୁରୀରେ ପହଞ୍ଚି ସିଧାସଳଖ ଲୋକଭବନ ଯାଇ ରାତ୍ରିଯାପନ କରିବେ।
ସୂଚନା ଅନୁଯାୟୀ, ରଷ୍ଟ୍ରପତିଙ୍କ ଯାଜପୁର ଗସ୍ତକୁ ଦୃଷ୍ଟିରେ ରଖି ଯାଜପୁର ପୌରାଞ୍ଚଳର ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କରିଛନ୍ତି ବିଇଓ ।
ଖବର ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ବିମାନ ବନ୍ଦରରୁ ରାଷ୍ଟ୍ରପତିଙ୍କ କାରକେଡ୍ ସିଧାସଳଖ ଲୋକ ସେବା ଭବନ ଅଭିମୁଖେ ଯାଇଥିଲା। ରାଷ୍ଟ୍ରପତିଙ୍କ ଏହି ଦୀର୍ଘ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।