ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ୧୮ ପ୍ରତିଶତ ଟାରିଫ ଚୁକ୍ତିନାମା ହୋଇ ଯାଇଛି । ଏହା ସହିତ ଭାରତକୁ ୫୦ ପ୍ରତିଶତ ଶୁଳ୍କ ବା ଟାରିଫରୁ ମୁକ୍ତି ମିଳିଛି । କିନ୍ତୁ ଦୁଇ ପକ୍ଷ ଏହି ଡିଲ୍ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇ ନାହାନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଓ ପିଏମ ମୋଦୀ ସୋମବାର ଫୋନରେ କଥା ହେଲେ, ଯାହା ପରେ ନୂଆ ରାଜିନାମା ଘୋଷଣା କରାଯାଇଛି । ଖାସ୍ କଥା ରାଜିନାମାର ସବୁଠୁ ବଡ ସର୍ତ୍ତ ଭାରତ ରୁଷଠୁ ତେଲ କିଣିବ ନାହିଁ ।
ଏବେ କାହିଁକି ହେଲା ଏହି ଡିଲ୍
ଋିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପଛର କାରଣ ହେଉଛି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ରାଜିନାମା । ଏହି ଡିଲ୍ ଆମେରିକା ଉପରେ ଚାପ ପକାଇଥିଲା । ଇୟୁ ସହିତ ରାଜିନାମାକୁ ବ୍ରୁସେଲ୍ସ ମଧ୍ୟ ଐତିହାସିକ ଦର୍ଶାଇଥିଲା । ଏହି ଡିଲ୍ ପରେ ଭାରତର ପଲ୍ଲା ଭାରି ହୋଇ ଯାଇଥିଲା ଏବଂ ଆମେରିକାକୁ ବାଣିଜ୍ୟିକ ସଂପର୍କ ଛିନ୍ନ ହେବା ନେଇ ଡର ଘାରିଥିଲା । କିନ୍ତୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
ଭାରତ ଓ ୟୁରୋପୀୟ ସଂଘ ଗତ ମଙ୍ଗଳବାର ଏଫଟିଏ ଉପରେ ଆଲୋଚନା ସମାପ୍ତ ହୋଇଥିବା ଘୋଷଣା କରିଥିଲେ । ଏହାକୁ ମଦର ଅଫ ଅଲ ଡିଲ୍ସର ଆଖ୍ୟା ଦିଆଯାଇଛି । ଏହି ରାଜିନାମା ଆଧାରରେ ୨୭ ଦେଶ ବିଶିଷ୍ଟ ୟୁରୋପୀୟ ସଂଘର ଦେଶଗୁଡିକୁ ଭାରତର୯୩ ପ୍ରତିଶତ ରପ୍ତାନୀ ଉପରେ ଶୁଳ୍କ ଦେବାକୁ ପଡିବ ନାହିଁ । ଅପରପକ୍ଷେ ୟୁରୋପୀୟ ସଂଘରୁ ଲଗଜରୀ କାର ଏବଂ ମଦ ଶସ୍ତାରେ ଆମଦାନୀ ହେବ ।
ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିବା ଆଲୋଚନା ପରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ପାଖାପାଖି ୨୦୦ କୋଟି ଲୋକଙ୍କ ପାଇଁ ସହଭାଗିତାରେ ବଜାର ଚାଲିବ । ଭାରତ ଦୁନିଆର ଚତୁର୍ଥ ସବୁଠୁ ବଡ ଅର୍ଥବ୍ୟବସ୍ଥା ଏବଂ ୟୁରୋପୀୟ ସଂଘ ଦୁନିଆର ଦ୍ୱିତୀୟ ବଡ ଆର୍ଥିକ ସଂଗଠନ । ଏସବୁ ଦେଖି ଆମେରିକା ଚାପର ବଶବର୍ତ୍ତୀ ହୋଇଥିଲା । ଭାରତ ସହିତ ବାଣିଜ୍ୟିକ ସଂପର୍କ ଛିନ୍ନ ହେବାର ଆଶଙ୍କା ଦେଖି ଟ୍ରମ୍ପ ଭାରତ ପ୍ରତି କୋହଳ ଆଭିମୁଖ୍ୟ ପୋଷଣ କରିଛନ୍ତି ।