ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବାକୁ ମାତ୍ର ଆଉ କେଇଟା ଦିନ ବାକି ରହିଛି । ତଥାପି ବିବାଦ ଏହାର ପିଛା ଛାଡୁନି । ପାକିସ୍ତାନର ନୂଆ ଡ୍ରାମାକୁ ନେଇ ଆଇସିସିଠୁ ନେଇ ଅନ୍ୟ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟ ଅସନ୍ତୁଷ୍ଟ । ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଭାରତ ସହିତ ମ୍ୟାଚ୍ ନ ଖେଳିବାର ନିଷ୍ପତ୍ତି ବିଷୟରେ ଆଇସିସିକୁ ଆନୁଷ୍ଠାନିକ ଭାବେ ଜଣାଇ ନାହିଁ । ପାକିସ୍ତାନ ସରକାର ରବିବାର ଘୋଷଣା କରିଥିଲେ ଯେ, ଟି-୨୦ ବିଶ୍ୱକପରେ ଭାରତ ସହ ତାଙ୍କ ଦେଶ ମ୍ୟାଚ୍ ଖେଳିବ ନାହିଁ । ବର୍ତ୍ତମାନ ପାକିସ୍ତାନ ଓ ଆଇସିସି ଏହି ପ୍ରସଙ୍ଗରେ ପରଦା ପଛରେ ଆଲୋଚନା ଚଳାଇଥିବା କୁହାଯାଉଛି । ଅନ୍ୟପଟେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ପିସିିବିର ଏହି ଆଭିମୁଖ୍ୟକୁ ନେଇ ବେଶ କ୍ଷୁବ୍ଧ ।
ପାକିସ୍ତାନ ସରକାରଙ୍କ ଏହି ଘୋଷଣା ପରେ ଆଇସିସି ନିଜର ବୟାନରେ କହିଥିଲା ଯେ, ପିସିବି ନିଜ ନିଷ୍ପତ୍ତି ଉପରେ ପୁନଃବିଚାର କରୁ । ଏବେ ପିସିବି ଓ ଆଇସିସି ମଧ୍ୟରେ ପରଦା ପଛରେ ଆଲୋଚନା ଚାଲିଛି । ଦୁଇ ସଂସ୍ଥା ମଧ୍ୟରେ ସିଧାସଳଖ ନା ମଧ୍ୟସ୍ଥ ଜରିଆରେ ଚାଲିଛି ତାହା ସ୍ପଷ୍ଟ ହୋଇ ନାହିଁ । ଏହା ମଧ୍ୟରେ ଦୁଇ ଶକ୍ତିଶାଳୀ ବୋର୍ଡ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପାକିସ୍ତାନର ଏମିତି ଆଭିମୁଖ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
କୁହାଯାଉଛି ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଓ କ୍ରିକେଟ୍ ଅଷ୍ଟ୍ରେଲିଆ ସାଂପ୍ରତିକ ଘଟଣାକ୍ରମକୁ ନେଇ ବ୍ୟକ୍ତିଗତ ଭାବେ ପିସିବି ନିକଟରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ବିସିସିଆଇ ଓ ପିସିବି ମଧ୍ୟରେ ଏ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇ ନାହିଁ ।
ଏହା ମଧ୍ୟରେ ପାକିସ୍ତାନ ଟିମ୍ ବିଶ୍ୱକପ୍ ପାଇଁ ଶ୍ରୀଲଙ୍କାରେ ପହଞ୍ଚି ସାରିଛି । କାରଣ ହାଇବ୍ରିଡ ମଡେଲ ଆଧାରରେ ପାକିସ୍ତାନ ନିଜର ସମସ୍ତ ମ୍ୟାଚ୍ କଲୋମ୍ବୋରେ ଖେଳାଯିବ । ଫେବୃଆରୀ ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଶ୍ରୀଲଙ୍କାର କଲୋମ୍ବୋରେ ଖେଳାଯିବ । ତେବେ ପିସିବିର ଆଭିମୁଖ୍ୟ ପରେ ଏହି ମ୍ୟାଚ୍ ଉପରେ ଖଣ୍ଡା ଝୁଲୁଛି ।
Also read: ଟି୨୦ ବିଶ୍ୱକପ ଖେଳିବେ ଏହି ୫ଜଣ ଖେଳାଳି, ଏକାକୀ ପରିବର୍ତ୍ତନ କରିପାରିବେ ମ୍ୟାଚ୍ର ଗତି