ନୂଆଦିଲ୍ଲୀ: ୨୦୨୬ ଟି ୨୦ ବିଶ୍ଵକପରେ ଭାରତ-ପାକିସ୍ତାନ ମ୍ୟାଚ୍ ହେବ ନାହିଁ। ଅତି କମରେ ପାକିସ୍ତାନ ସରକାର ଏହା ସ୍ପଷ୍ଟ କରି ଦେଇଛନ୍ତି। ଏହି ମାମଲାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା। ଏହି ସମୟରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ମଧ୍ୟ ପାକିସ୍ତାନର ବୟକଟ ବିଷୟରେ ପ୍ରଶ୍ନ କରାଯାଇଥିଲା। ଜବାବରେ ଗମ୍ଭୀର ଯାହା କହିଛନ୍ତି ତାହା ବହୁତ ଆଶ୍ଚର୍ଯ୍ୟଜନକ ରହିଛି।
ଟି୨୦ ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଗୌତମ ଗମ୍ଭୀର ମୁମ୍ବାଇ ଯିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ସେ ତାଙ୍କ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି ଯାଇଥିଲେ। ଗମ୍ଭୀର ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଇଥିଲେ କିନ୍ତୁ ପାକିସ୍ତାନ ଉପରେ କୌଣସି ମନ୍ତବ୍ୟ ଦେଇ ନଥିଲେ। ଯେତେବେଳେ ଗମ୍ଭୀରଙ୍କୁ ଭାରତ ବିପକ୍ଷରେ ପାକିସ୍ତାନ ନ ଖେଳିବା ବିଷୟରେ ପଚରାଯାଇଥିଲା, ସେ କିଛି ନ କହି ଚାଲିଯାଇଥିଲେ। ଗମ୍ଭୀରଙ୍କୁ ପାକିସ୍ତାନ ବିଷୟରେ ବାରମ୍ବାର ପ୍ରଶ୍ନ ପଚରାଯାଇଥିଲା, କିନ୍ତୁ ସେ ନୀରବ ରହିବାକୁ ବାଛିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ-ପାକିସ୍ତାନ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ହେବାକୁ ଯାଉଛି।
ମୁଖ୍ୟ ପ୍ରଶିକ୍ଷକ ଭାବରେ ଗୌତମ ଗମ୍ଭୀର ଭାରତୀୟ ଦଳ ପାଇଁ ତାଙ୍କର ଦ୍ଵିତୀୟ ଆଇସିସି ଟ୍ରଫି ଜିତିବାକୁ ଚାହାଁନ୍ତି। ସେ ପୂର୍ବରୁ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ। ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଥିଲା।
ଭାରତ ୨୦୨୬ ଟି-୨୦ ବିଶ୍ଵକପ୍ ପାଇଁ ଏକ ଦୃଢ଼ ଦାବିଦାର। ଗମ୍ଭୀର ପ୍ରଶିକ୍ଷକ ହେବା ପରଠାରୁ, ଭାରତ ଗୋଟିଏ ବି ଟି ୨୦ ସିରିଜ୍ ହାରିନାହିଁ। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ପ୍ରବେଶ କରିବ। ୨୦୨୪ ଫାଇନାଲରେ, ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟ୍ରଫି ଜିତିଥିଲା।
Also read: ୨୦୨୬ ଟି-୨୦ ବିଶ୍ଵକପରେ ବିଦେଶୀ ଟିମରେ ନଜର ଆସିବେ ୪୦ ଭାରତୀୟ କ୍ରିକେଟର, ୪ ଟିମରେ ୩୪ ଖେଳାଳି