ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ର କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି । ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ । ୨୦ଟି ଦଳକୁ ଚାରୋଟି ଗ୍ରୁପରେ ଭାଗ କରାଯାଇଛି । ଆଇସିସି ଟୁର୍ଣ୍ଣାମେଣ୍ଟର ଏନ୍ଥମ ସଙ୍ଗ ରିଲିଜ୍ କରିଛି । ଏହାକୁ ପ୍ରସିଦ୍ଧ ମ୍ୟୁଜିକ କମ୍ପୋଜର ଅନିରୁଦ୍ଧ ରବିଚନ୍ଦର କମ୍ପୋଜ କରିଛନ୍ତି ଏବଂ ଗାଇଛନ୍ତି ମଧ୍ୟ ।
ଆଇସିସି ଦ୍ୱାରା ଜାରି ଏହି ଏନ୍ଥମ ସଙ୍ଗର ନାଁ ‘ଫିଲ ଦ ଥ୍ରୀଲ’ ରହିଛି । ଏହି ଗୀତର ରଚନା ଭାରତୀୟ ସଙ୍ଗୀତକାର ତଥା ଗାୟକ ଅନିରୁଦ୍ଧ ରବିଚନ୍ଦର କରିଛନ୍ତି । ନିଜେ ଏହି ଗୀତକୁ ଗାଇ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ବଢାଇଛନ୍ତି ଅନିରୁଦ୍ଧ । ଏହାକୁ ରୋମାଞ୍ଚ ଓ ଭାବନାକୁ ପ୍ରତିଫଳିତ କରିବା ପରି ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି ଅନିରୁଦ୍ଧ ।
ଆଇସିସିର ସିଇଓ ସଂଯୋଗ ଗୁପ୍ତା ଟି-୨୦ ବିଶ୍ୱକପ୍ ୨୦୨୬ର ଏହି ଏନ୍ଥମ ସଙ୍ଗ ଉପରେ କହିଛନ୍ତି ଯେ, ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ଅଦ୍ୱିତୀୟ ଭାବେ ରୋମାଞ୍ଚକାରୀ । ଏହି କ୍ଷଣ ଖେଳାଳି ଓ ପ୍ରଶଂସକ ଉଭୟଙ୍କ ପାଇଁ ସାରା ଜୀବନ ସ୍ମୃତିରେ ବଦଳି ଯାଏ । ଟୁର୍ଣ୍ଣାମେଣ୍ଟର ଆନୁଷ୍ଠାନିକ ଗୀତ ଏହି ଭାବନାକୁ ଜୀବନ୍ତ କରିବାକୁ ପ୍ରୟାସ କରିବ । ସଙ୍ଗୀତ ମାଧ୍ୟମରେ ପ୍ରଶଂସକଙ୍କୁ ଯୋଡିବା, ବିବିଧତାର ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।
ଟି-୨୦ ବିଶ୍ୱକପ୍ ୨୦୨୬ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ । ଗ୍ରୁପ ବିର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଗ୍ରୁପ ଏରେ ପାକିସ୍ତାନ ଟିମ୍ ନିଜର ସମସ୍ତ ମୁକାବିଲା ଶ୍ରୀଲଙ୍କାରେ ଖେଳିବ । ଯଦି ପାକିସ୍ତାନ ସେମି ଫାଇନାଲ୍ କିମ୍ବା ଫାଇନାଲରେ ପହଞ୍ଚିଲେ ମୁକାବିଲା ଶ୍ରୀଲଙ୍କାରେ ଖେଲାଯିବ । ପାକିସ୍ତାନ ନ ପହଞ୍ଚିଲେ ଏସବୁ ମ୍ୟାଚ୍ ଭାରତରେ ଖେଳାଯିବ । ଫେବୃଆରୀ ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲିଗ୍ ପର୍ଯ୍ୟାୟ ମୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଶ୍ରୀଲଙ୍କାର କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ।