ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବାକୁ ଆଉ ମାତ୍ର ୫ ଦିନ ବାକି ରହିଛି । ହେଲେ ଏହି ଟୁର୍ଣ୍ଣାମେଣ୍ଟକୁ ବିବାଦ ପିଛା ଛାଡୁନି । ପୁଣି ପାକିସ୍ତାନ ନୂଆ ଡ୍ରାମା କରିବା ସହ ନଖରାମି ଦେଖାଇଛି । ପାକିସ୍ତାନ ବିଶ୍ୱକପ୍ ଖେଳିବ କିନ୍ତୁ ଭାରତ ସହିତ ମ୍ୟାଚ୍ ଖେଳିବନି ବୋଲି ନିଷ୍ପତ୍ତି ନେଇଛି । ରବିବାର ପାକିସ୍ତାନ ସରକାର ଏହାର ଆନୁଷ୍ଠାନିକ ଘୋଷଣା କରିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି ଏହା ସରକାରଙ୍କ ନିଷ୍ପତ୍ତି । ଆମକୁ ମାନିବାକୁ ପଡିବ । ଏଥିରେ ଟି-୨୦ ବିଶ୍ୱକପ୍ ୨୦୨୬ର ଆକର୍ଷଣ କମିବା ସହ ଆଇସିସିର ଆୟ ଉପରେ ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ।
ଆଇସିସିର କୌଣସି ବି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚ୍ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥାଏ । ଏହି ମୁକାବିଲା କେବଳ କ୍ରିକେଟ୍ ନୁହେଂ ବରଂ ଭାବନା ଓ ହାଇଡ୍ରାମା ପ୍ୟାକେଜରେ ଭର୍ତ୍ତି ହୋଇଥାଏ । ଏହି କାରଣରୁ ଟିଭି ଓ ଡିଜିଟାଲ୍ ପ୍ଲାଟଫର୍ମ ଉପରେ ଏହି ମ୍ୟାଚର ଭ୍ୟୁୟରସିପ ସବୁ ରେକର୍ଡ ଭାଙ୍ଗିଥାଏ । ବ୍ରଡକାଷ୍ଟର୍ସ ଏହି ଦମରେ ବଡ ପ୍ୟାକେଜ କିଣିଥାଏ । ସାଧାରଣତଃ ଭାରତର ଗୋଟିଏ ମ୍ୟାଚରୁ ପ୍ରାୟ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଥାଏ । ମାତ୍ର ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହୁରି ଅଧିକ ଆୟ ହୋଇଥାଏ ।
ବିଜ୍ଞାପନରେ ହୋଇଥାଏ କୋଟି କୋଟି ବର୍ଷା
ଭାରତ-ପାକ ଟି-୨୦ ମ୍ୟାଚ୍ ସମୟରେ ବିଜ୍ଞାପନର ଆୟ ଆକାଶଛୁଆଁ ରହିଥାଏ । ରିପୋର୍ଟ ଅନୁଯାୟୀ, ଏହି ମୁକାବିଲାରେ ୧୦ ସେକେଣ୍ଡର ଗୋଟିଏ ବିଜ୍ଞାପନ ପାଇଁ ୨୫ରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଏ । ଏହି କାରଣରୁ କେବଳ ଗୋଟିଏ ମ୍ୟାଚରୁ ପ୍ରାୟ ୨୦୦ କୋଟି ଟଙ୍କାର ଆୟ ଜଡିତ ରହିଥାଏ ।
ଯଦି ଏହି ମ୍ୟାଚ୍ ଖେଳା ନ ଯାଏ ତେବେ ଏହି ରେଭନ୍ୟୁ ପୂରା ଗାଏବ ହୋଇଯିବ । ଏହାର ସବୁଠୁ ବଡ ପ୍ରଭାବ ଆଇସିସିକୁ ମିଳିବାକୁ ଥିବା ବ୍ରଡକାଷ୍ଟିଂ ଫି ଉପରେ ପଡିବ । ଏଥର ଭାରତରେ ଟୁର୍ଣ୍ଣାମେଣ୍ଟର ମିଡିଆ ରାଇଟସ ଜିଓ ଷ୍ଟାର ପାଖରେ ରହିଛି । ମ୍ୟାଚ୍ ରଦ୍ଦ ହେବା ସ୍ଥିତିରେ ବ୍ରଡକାଷ୍ଟରକୁ ବିପୁଳ କ୍ଷତି ସହିବାକୁ ପଡିପାରେ । ଆଉ ଏହାର ଭରଣା ଶେଷରେ ଆଇସିସିକୁ କରିବାକୁ ପଡିବ ।
ଆଇସିସିର ରେଭନ୍ୟୁ ସେୟାରିଂ ମଡେଲ ଆଧାରରେ ରାଜସ୍ୱକୁ ଅଲଗା ଅଲଗା କ୍ରିକେଟ୍ ବୋର୍ଡ ମଧ୍ୟରେ ବଣ୍ଟନ କରାଯାଏ । ଏମିତିରେ କ୍ଷତି କେବଳ ଆଇସିସି ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ବିସିସିଆଇ, ପିସିବି ଓ ବାକି କ୍ରିକେଟ୍ ବୋର୍ଡର ଆୟ ମଧ୍ୟ ପ୍ରଭାବିତ ହେବ ।
କଣ ପିସିବିକୁ ଦେବାକୁ ପଡିବ ମୂଲ୍ୟ ?
ଋିପୋର୍ଟ ଅନୁଯାୟୀ, ଆଇସିସି ଏହି ପୂରା ମାମଲାକୁ ଅତି ଗୁୁରୁତର ସହ ଗ୍ରହଣ କରିଛି । ଯଦି ପାକିସ୍ତାନ ନିଜ ନିଷ୍ପତ୍ତିରେ ଅଟଳ ରହେ ତେବେ ଏହା ଉପରେ ମୋଟା ଅଙ୍କର ଜରିମାନା ଲାଗିପାରେ । ଏପରିକି ପ୍ରସାରଣକର୍ତ୍ତାଙ୍କର ହେଉଥିବା କ୍ଷତିର ଭରଣା ପିସିବିକୁ କରିବାକୁ ପଡିପାରେ । ବିସିସିଆଇ ପରି ଶକ୍ତିଶାଳୀ ବୋର୍ଡ ପାଇଁ ସେତେଟା କ୍ଷତି ହୋଇ ନ ପାରେ, କିନ୍ତୁ ଆର୍ଥିକ ଭାବେ ଦୁର୍ବଳ ପିସିବି ଓ ଛୋଟ କ୍ରିକେଟ୍ ବୋର୍ଡକୁ ଏହି ନିଷ୍ପତ୍ତି ଭାରି ପଡିପାରେ ।