ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ଵକପକୁ ନେଇ ବିବାଦ ଥମିବାର ନା ଧରୁନି। ପ୍ରଥମେ ବାଂଲାଦେଶ ବିଦା ହେବା ପରେ ଆଇସିସି ସ୍କଟଲାଣ୍ଡକୁ ସାମିଲ କରିଥିଲା। ଏବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ମନା କରିଦେଇଛି। ରବିବାର ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ଖେଳିବ ନାହିଁ ଏବଂ ମ୍ୟାଚ୍ ବର୍ଜନ କରିବ। ଏବେ ଏହି ପ୍ରସଙ୍ଗରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ପ୍ରତିକ୍ରିୟା ଦେଇଛନ୍ତି।
ରବିବାର ପାକିସ୍ତାନ ଦଳ ଟି୨୦ ବିଶ୍ୱକପ ପାଇଁ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିଛି। ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ୍ ରବିବାର ଖେଳାଯାଇଥିଲା। ସେ କହିଛନ୍ତି, ଆମେ ବୋର୍ଡ ସହିତ ଚୁକ୍ତିବଦ୍ଧ ଖେଳାଳି। ସମସ୍ତ ଖେଳାଳି ସରକାର ଏବଂ ବୋର୍ଡ ଯାହା ନିଷ୍ପତ୍ତି ନେଇଥିବେ ସେଥିରେ ସହମତ। ସଲମାନ ଅଲି ଆଗା ମଧ୍ୟ କହିଛନ୍ତି ଯେ ଦଳ ବିଶ୍ଵକପ୍ ଜିତିବା ଉଦ୍ଦେଶ୍ୟରେ ଶ୍ରୀଲଙ୍କା ଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଆମର ତିନୋଟି ଗ୍ରୁପ୍ ମ୍ୟାଚ୍ ବାକି ଅଛି, ଏବଂ ଆମେ ସେଗୁଡ଼ିକୁ ଜିତି ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବୁ।
କଣ ଆଇସିସି ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ ?
ରିପୋର୍ଟ ଅନୁଯାୟୀ, ପିସିବି ଭାରତ ବିପକ୍ଷରେ ମ୍ୟାଚ୍ ନ ଖେଳିବାର ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ଆଇସିସିକୁ ଆନୁଷ୍ଠାନିକ ଭାବେ ଜଣାଇ ନାହିଁ। ପିସିବି ଏହି ବୟକଟ ବିଷୟରେ ଆଇସିସିକୁ ଆନୁଷ୍ଠାନିକ ଭାବରେ ଜଣାଇଲେ ହିଁ ଆଇସିସି କାର୍ଯ୍ୟାନୁଷ୍ଠାନ ନେଇପାରିବ। ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପାକିସ୍ତାନକୁ ୨୦୨୬ ଟି ୨୦ ବିଶ୍ୱକପ୍ ରୁ ବାଦ ଦିଆଯାଇପାରିବ। ଏହା ବ୍ୟତୀତ ଆଇସିସି ପାକିସ୍ତାନ ଟି ୨୦ ଲିଗ୍ (PSL) ରେ ବିଦେଶୀ ଖେଳାଳିମାନଙ୍କୁ NOC ଦେବାକୁ ମଧ୍ୟ ମନା କରିପାରେ।
Also read: ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଉପରେ ସଙ୍କଟ, ଆଇସିସିକୁ ଲାଗିପାରେ ୨୦୦ କୋଟିର ଝଟକା ?