ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ । ସିରିଜରେ ଭାରତ ଅଦ୍ୟାବଧି ୩-୧ରେ ଅଗ୍ରଣୀ ରହିଛି । ତେବେ ଶେଷ ମ୍ୟାଚକୁ ନେଇ ଭାରତୀୟ ଦଳରେ ଗଭୀର ସସପେନ୍ସ ରହିଛି । ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ସଞ୍ଜୁ ସାମସନ ଏବଂ ଇଶାନ କିଶନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାର ଅଛି । ଗୋଟିଏ ପଟେ ସଞ୍ଜୁଙ୍କୁ ଉପରେ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟଙ୍କ ଭରସା ରହିଥିବା ବେଳେ ଅନ୍ୟପଟେ ଇଶାନ କିଶନଙ୍କ ଦମଦାର ପ୍ରତ୍ୟାବର୍ତ୍ତନ ସମୀକରଣକୁ ବଦଳାଇ ଦେଇପାରେ ।
ସଞ୍ଜୁଙ୍କ ପାଇଁ ସିରିଜର ଶେଷ ଟି-୨୦ ଭାବନାତ୍ମକ ଦୃଷ୍ଟିରୁ ବହୁତ ଖାସ ରହିଛି, କାରଣ ଏ ଡର୍ଯ୍ୟନ୍ତ ସେ ନିଜର ଘରୋଇ ତିରୁଅନନ୍ତପୁରମ ଷ୍ଟାଡିୟମରେ ଭାରତ ପାଇଁ ଗୋଟିଏ ହେଲେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି । ଅନ୍ୟପଟେ ନମ୍ବର ତିନିରେ ବ୍ୟାଟିଂ କରୁଥିବା ଇଶାନ କିଶନ ଗତ ମ୍ୟାଚରେ ହାଲୁକା ଆହତ କାରଣରୁ ଚତୁର୍ଥ ମ୍ୟାଚ୍ ଖେଳି ନ ଥିଲେ । କିନ୍ତୁ ଏବେ ସେ ଫିଟ୍ ହୋଇ ପଡିଆକୁ ଫେରିବାର ସମ୍ଭାବନା ଅଧିକ ରହିଛି ।
ବ୍ୟାଟିଂ କୋଚ୍ ସୀତାଂଶୁ କୋଟକ ସ୍ୱୀକାର କରିଛନ୍ତି ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ଆଶାନୁରୂପ ରହି ନାହିଁ । ତଥାପି ସେ ସଞ୍ଜୁଙ୍କୁ ଜଣେ ମ୍ୟାଚ୍ ବିଜେତା ଖେଳାଳି ଭାବେ ଦେଖନ୍ତି । ସଞ୍ଜୁଙ୍କ ସମର୍ଥନରେ କୋଚ୍ କହିଛନ୍ତି ଯେ, ସେ ଜଣେ ସିନିୟର ଖେଳାଳି । ସେ ସେତେ ରନ କରି ପାରି ନାହାନ୍ତି ଯେତିକି ଆମେ ତାଙ୍କଠୁ ଆଶା ରଖିଛୁ । ଆମର ଦାୟିତ୍ୱ ସଞ୍ଜୁଙ୍କୁ ଆମେ ସଠିକ୍ ମାନସିକ ସ୍ଥିତିରେ ରଖିବା । ଆମେ ସମସ୍ତେ ଜାଣିଛନ୍ତି ଯେ, ସଞ୍ଜୁ ମ୍ୟାଚରେ କଣ କରି ପାରିବେ ।
ତେବେ ଇଶାନ କିଶନଙ୍କ ଦମଦାର ପ୍ରଦର୍ଶନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଚୟନକୁ ଆହୁରି ମୁସ୍କିଲ କରି ଦେଇଛନ୍ତି । କୋଚ୍ କୋଟକ ଆଶା ପ୍ରକାଶ କରିଛନ୍ତି ଯେ, କିଶନ ଶେଷ ମ୍ୟାଚରେ ଚୂଡାନ୍ତ ଏକାଦଶ ପାଇଁ ଉପଲବ୍ଧ ରହିବେ । ତେବେ ଏହା ଦେଖିବା ବାକି ରହିଲା ଯେ, ଦଳ ପ୍ରବନ୍ଧକ ସଞ୍ଜୁ ସାମସନଙ୍କୁ ତାଙ୍କ ଘରୋଇ ମାଟିରେ ସୁଯୋଗ ଦେବେ ନା ଇଶାନ କିଶନଙ୍କୁ ଓପନିଂ ଭାବେ ମଇଦାନକୁ ଓହ୍ଲାଇବେ ।
Also read: ଟି-୨୦ ବିଶ୍ୱକପକୁ ନେଇ ନିରବତା ଭାଙ୍ଗିଲା ଶ୍ରୀଲଙ୍କା, ଭାରତ-ପାକ୍-ବାଂଲାଦେଶକୁ କହିଲା ମିତ୍ର ରାଷ୍ଟ୍ର