ବିଶାଖାପଟନମ: ଚତୁର୍ଥ ଟି-୨୦ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନ୍ରେ ପରାସ୍ତ କରିଛି। ବିଶାଖାପଟନମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୧୫ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୧୬୫ ରନ୍ରେ ଅଲଆଉଟ୍ ହୋଇଛି। ଶିବମ ଦୁବେଙ୍କ ବିସ୍ଫୋରକ ୬୫ ରନର ଇନିଂସ ବୃଥା ହୋଇଛି।
୨୧୬ ରନ୍ର ଟାର୍ଗେଟ୍କୁ ପିଛା କରି ଟିମ୍ ଇଣ୍ଡିଆର ଆରମ୍ଭ ନିରାଶଜନକ ଥିଲା। ଇନିଂସର ପ୍ରଥମ ବଲ୍ରେ ଅଭିଷେକ ଶର୍ମା ଆଉଟ୍ ହୋଇଥିଲେ। ମ୍ୟାଚରେ ଚର୍ଚ୍ଚାରେ ଥିବା ସଞ୍ଜୁ ସାମସନ୍ ଭଲ ଆରମ୍ଭ କରିଥିଲେ କିନ୍ତୁ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍ ସାଣ୍ଟନର୍ ତାଙ୍କୁ ୨୪ ରନ୍ରେ କ୍ଲିନ୍ ବୋଲ୍ଡ କରିଥିଲେ।ସାଧାରଣତଃ ରିଙ୍କୁ ସିଂହ ଷଷ୍ଠ କିମ୍ବା ସାତ ନମ୍ବରରେ ବ୍ୟାଟିଂ କରନ୍ତି, ଆଜି ଚତୁର୍ଥ ନମ୍ବରରେ ବ୍ୟାଟିଂ କରିଥିଲେ। ସେ ୩୦ ବଲରୁ ୩୯ ରନ୍ର ଏକ ଲଢୁଆ ଇନିଂସ ଖେଳିଥିଲେ। କିନ୍ତୁ ଏହା ଭାରତ ପାଇଁ ପର୍ଯ୍ୟାପ୍ତ ନ ଥିଲା।
ଭାରତୀୟ ଦଳ ୬୩ରନରେ ଚାରିଟି ୱିକେଟ ହରାଇଥିଲା। ଶିବମ ଦୁବେ କ୍ରିଜକୁ ଓହ୍ଲାଇବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଥିଲେ। ସେ ଅଭିଷେକ ଶର୍ମା ଏବଂ ଯୁବରାଜ ସିଂହଙ୍କ ପରେ ଭାରତ ପାଇଁ ଅନ୍ତର୍ଜାତୀୟ ଟି ୨୦ କ୍ରିକେଟ ଇତିହାସରେ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ବ୍ୟାଟର ହୋଇଥିଲେ। ଦୁବେ ୨୩ ବଲରେ ୬୫ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ।
ନ୍ୟୁଜିଲ୍ୟାଣ୍ଡ ପାଇଁ, ବିଶେଷକରି ଅଧିନାୟକ ମିଚେଲ ସାଣ୍ଟନର ମ୍ୟାଚର ମଙ୍ଗ ନିଜ ପକ୍ଷରେ ବଦଳାଇ ଦେଇଥିଲେ। ସେ ଚାରି ଓଭରରେ ମାତ୍ର ୨୬ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ସାଣ୍ଟନର ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯଶପ୍ରୀତ ବୁମରାଙ୍କ ୱିକେଟ ନେଇଥିଲେ। ଚାରି ମ୍ୟାଚ୍ ପରେ, ଟିମ୍ ଇଣ୍ଡିଆ ଏବେ ସିରିଜରେ ୩-୧ ରେ ଆଗୁଆ ରହିଛି।
Also read: ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତା: ଶୀର୍ଷରେ ଅଭିଷେକ ଶର୍ମା, ୭ମ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ