ମୁୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଟି-୨୦ ସିରିଜର ଚତୁର୍ଥ ମୁକାବିଲା ବିଶାଖାପଟନମରେ ଖେଳାଯିବ । ଭାରତ ପ୍ରଥମ ତିନୋଟି ମ୍ୟାଚ୍ ଜିତି ସିରିଜ୍ କବଜା କରି ସାରିଥିବା ବେଳେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଆତ୍ମ ସମ୍ମାନ ରକ୍ଷା ପାଇଁ ମଇଦାନକୁ ଓହ୍ଲାଇବ । ଏହି ମ୍ୟାଚରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ସିରିଜର ପ୍ରଥମ ତିନୋଟି ମ୍ୟାଚରେ ଫ୍ଲପ ହୋଇଥିବା ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇପାରେ । ତାଙ୍କ ସ୍ଥାନରେ ଇଶାନ କିଶନ ୱିକେଟ୍ କିପିଂ ଦାୟିତ୍ୱ ସମ୍ଭାଳି ପାରନ୍ତି ।
ସଞ୍ଜୁ ସାମସନ ଗତ କିଛି ମାସ ଉତଥାନ ଏବଂ ପତନ ଦେଇ ଗତି କରୁଛନ୍ତି । ଶୁଭମନ ଗିଲ୍ ବାରମ୍ବାର ବିଫଳ ହେବାରୁ ସଞ୍ଜୁଙ୍କୁ ଭାରତୀୟ ଟି-୨୦ ଦଳରେ ସ୍ଥାନ ମିଳିଲା । ଏପରିକି ବିଶ୍ୱକପ୍ ପାଇଁ ମଧ୍ୟ ତାଙ୍କର ଚୟନ ହୋଇଛି । ହେଲେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନୋଟି ମ୍ୟାଚରେ ଶୋଚନୀୟ ପ୍ରଦର୍ଶନ କରିଛନ୍ତି । ତାଙ୍କୁ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନାହାନ୍ତି । ସେ ପୁଣି ନିଜ ମନ ପସନ୍ଦର ଓପନିଂ ସ୍ଥାନରେ ବ୍ୟାଟିଂ କରି ବି ସଞ୍ଜୁ ବିଫଳ ହୋଇଛନ୍ତି ।
ସିରିଜରେ ଅନ୍ୟ ଓପନର ଅଭିଷେକ ଶର୍ମା ସୁପର ହିଟ୍ ଥିବା ବେଳେ ସଞ୍ଜୁ ଫ୍ଲପ ଫ୍ଲପ ହୋଇ ଚାଲିଛନ୍ତି । ସେ ପ୍ରଥମ ମ୍ୟାଚରେ ୭ ବଲରେ ୧୦ ରନ, ଦ୍ୱତୀୟରେ ୫ ବଲରୁ ୬ ରନ ଏବଂ ତୃତୀୟରେ ଖାତା ଖୋଲି ପାରି ନାହାନ୍ତି । ତେଣୁ ଚତୁର୍ଥ ମ୍ୟାଚରେ ସଞ୍ଜୁ ଚୂଡାନ୍ତ ଏକାଦଶରୁ ବାଦ୍ ପଡିବାର ସମ୍ଭାବନା ରହିଛି ।
ଇଶାନ କରି ପାରନ୍ତି ଓପନିଂ
ଇଶାନ କିଶନ ଆଜିର ମ୍ୟାଚରେ ଓପନିଂ କରି ପାରନ୍ତି । କାରଣ ସେ ସିରିଜରେ ଏ ପର୍ଯ୍ୟନ୍ତ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ମ୍ୟାଚରେ ୩୨ ବଲରୁ ୭୬ ରନ ଏବଂ ତୃତୀୟ ମୁକାବିଲାରେ ୧୩ ବଲରୁ ୨୮ ରନ କରିଥିଲେ । ତାଙ୍କର ଷ୍ଟ୍ରାଇକ ରେଟ୍ ୨୨୪ ରହିଛି । ଏହା ପୂର୍ବରୁ ସୈୟକ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଟପ୍ ସ୍କୋରର ଥିଲେ । ତେଣୁ ସଞ୍ଜୁ ସ୍ଥାନରେ ଆଜି ଇଶାନ କିଶନ ଓପନିଂ ବ୍ୟାଟିଂ କରିବା ସହ ୱିକେଟ୍ କିପିଂ ଦାୟିତ୍ୱ ସମ୍ଭାଳି ପାରନ୍ତି ।
ଅକ୍ଷର ପଟେଲ ଫେରି ପାରନ୍ତି
ଚତୁର୍ଥ ମ୍ୟାଚରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଚୂଡାନ୍ତ ଏକାଦଶରେ ପ୍ରତ୍ୟାବର୍ତ୍ତନ କରି ପାରନ୍ତି । ସେ ଭାରତୀୟ ଟି-୨୦ ଦଳର ଉପ ଅଧିନାୟକ । ପ୍ରଥମ ଟି-୨୦ରେ ଆଙ୍ଗୁଠିରେ ଆଘାତ ଲାରିବା କାରଣରୁ ସେ ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ଖେଳି ପାରି ନ ଥିଲେ । ଏବେ ସେ ଫିଟ୍ ଅଛନ୍ତି ।
ଅର୍ଶଦୀପ ଓ ବରୁଣ ଫେରି ପାରନ୍ତି
ଏହା ବାଦ୍ ବିଶାଖାପଟନମ ମ୍ୟାଚରେ ଦ୍ରୁତ ବୋଲର ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଚୂଡାନ୍ତ ଏକାଦଶରେ ପ୍ରତ୍ୟାବର୍ତ୍ତନ ଘଟିପାରେ । ତୃତୀୟ ମ୍ୟାଚରେ ଦୁହିଁଙ୍କୁ ବିଶ୍ରାମ ଦିଆଯାଇଥିଲା । କୁଲଦୀପ ଯାଦବ ତୃତୀୟ ମୁକାବିଲାରେ ଖାସ୍ ପ୍ରଦର୍ଶନ କରି ପାରି ନ ଥିଲେ । ରବି ବିଷ୍ଣୋଇଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ଥିଲା । ତେଣୁ ଆଜିର ମୁକାବିଲାରେ ସ୍ପିନ ଡିପାର୍ଟମେଣ୍ଟ ଦାୟିତ୍ୱ ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ ଓ ଅକ୍ଷର ପଟେଲଙ୍କ କାନ୍ଧରେ ରହିପାରେ ।
ଟିମ୍ ଇଣ୍ଡିଆର ସମ୍ଭାବିତ ଏକାଦଶ
ଅଭିଷେକ ଶର୍ମା, ଇଶାନ କିଶନ(ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅକ୍ଷର ପଟେଲ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରା, ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀ ।