ଭୁବନେଶ୍ୱର : ପୁଣି ସିନେ ଜଗତକୁ ଏକ ଶକ୍ତ ଆଘାତ। ଆଉ ନାହାନ୍ତି ଭେଟେରାନ୍ ସାଉଣ୍ଡ ଇଞ୍ଜିନିୟର ସମୀର କୁମାର ପାତ୍ର। ୫୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କର ବିୟୋଗ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଦେହାନ୍ତ ପରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରତ୍ୟକଟି କଳାକାର ଏବଂ କଳାପ୍ରେମୀମାନେ ଆଜି ତାଙ୍କୁ ଝୁରୁଛନ୍ତି।
ବଲିଉଡ ଚଳଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସାଉଣ୍ଡ ଡିଜାଇନର ତଥା ରେକଡିଷ୍ଟ ସମୀର ପାତ୍ର ୧୯୭୬ ମସିହା ଡିସେମ୍ବର ୮ ତାରିଖରେ ଗଞ୍ଜାମର ଭଞ୍ଜନଗରରେ ଜନ୍ମଗ୍ରହଣ କରିଥିଲେ। ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ସାଉଣ୍ଡ ଆଣ୍ଡ ଟେଲିଭିଜନ ଇଞ୍ଜିନିୟରିଂରେ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ। ଏହାପରେ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ମୁମ୍ବାଇରେ ତାଙ୍କର କର୍ମମୟ ଜୀବନ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ହିନ୍ଦୀ ଚଳଚ୍ଚିତ୍ରର ସେ ଶବ୍ଦ ସଂଯୋଜନା କରିଥିଲେ। ତାଙ୍କ ଶବ୍ଦ ସଂଯୋଜନା ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା।
ବିଗତ ୨୬ ବର୍ଷ ଧରି ମୁମ୍ବାଇରେ ନିଜର ଶବ୍ଦ ଯାଦୁଗରୀର ସ୍ପର୍ଶ ସେ ସଭିଙ୍କୁ ବାନ୍ଧି ରଖିଥିଲେ। ବଲିଉଡର ସାଉଣ୍ଡ ବିଭାଗରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଳ୍ପ କିଛି ଓଡ଼ିଆଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ। ୭୫ରୁ ଅଧିକ ସିନେମାରେ କାମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଥିଲେ। ଚକ ଦେ ଇଣ୍ଡିଆ, ରକେଟ ସିଂ, ତେରେ ବିନ ଲାଡେନ, ଫୁକ୍ରେ ଭଳି ଅନେକ ସୁପର ହିଟ ଚଳଚ୍ଚିତ୍ରରେ ଶବ୍ଦ ଯାଦୁଗରୀ ଲୁଚି ରହିଥିଲା। ଜାତୀୟ ପୁରସ୍କାର ବିଜେତା
ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ 'କାଲିର ଅତୀତ' ଚଳଚ୍ଚିତ୍ରରେ ତାଙ୍କର କାମ ସାମାଜିକ ସମସ୍ୟା ଓ ଭାବପ୍ରବଣତାକୁ ଶବ୍ଦ ମାଧ୍ୟମରେ ପ୍ରକାଶ କରିବାରେ ତାଙ୍କର ଦକ୍ଷତାକୁ ପ୍ରମାଣିତ କରିଥିଲା। ଏପରିକି ଚଳିତ ବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର 'ଧୁରନ୍ଧର' ଥିଲା ତାଙ୍କର ଶେଷ ଫିଲ୍ମ। ଏଥିରେ ମଧ୍ୟ ସେ ସାଉଣ୍ଡ ଇଂଜିନିୟର ଭାବେ କାମ କରି ପ୍ରଶଂସା ସାଉଁଟିଥିଲେ।