ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ କୋଚ୍ ହେବା ପରେ ଭାରତୀୟ ଦଳ ଏମିତି ଦିନ ଦେଖିଛି ଯାହା କେବେ ଦେଖି ନ ଥିଲା । ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କ୍ଲିନ ସୁଇପ ହାରିବା, ଘରୋଇ ଟେଷ୍ଟରେ ସର୍ବନିମ୍ନ ୪୬ ସ୍କୋରରେ ଅଲଆଉଟ୍, ଟେଷ୍ଟରେ ସବୁଠୁ ବଡ ୪୦୮ ରନର ପରାଜୟ, ୨୭ ବର୍ଷ ପରେ ପ୍ରଥମ ଥର ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ ପରାଜୟ ଆଦି ଲମ୍ବା ତାଲିକା ରହିଛି । କିନ୍ତୁ ଗମ୍ଭୀରଙ୍କ କୋଚିଂ ସମୟରେ ଭାରତ ଏସିଆ କପ୍ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଛି ।
କିନ୍ତୁ ପ୍ରତି ପରାଜୟ ପରେ ଗମ୍ଭୀରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥାଏ । ଲୋକେ ତାଙ୍କୁ କୋଚ୍ ପଦରୁ ହଟାଇବାକୁ ଦାବି କରୁଥିବା ବେଳେ ଅନେକ ଟେଷ୍ଟରେ ଅନ୍ୟ କାହାକୁ କୋଚ୍ କରିବା ଉଚିତ୍ ବୋଲି ଯୁକ୍ତି ବାଢି ଆସିଛନ୍ତି । କିଛି ଖବର ଆସିଥିଲା ଯେ, ଟି-୨୦ ବିଶ୍ୱକପ୍ ୨୦୨୬ ପରେ ଗମ୍ଭୀରଙ୍କ ଭବିଷ୍ୟତ ଉପରେ ବିଚାର କରାଯିବ । ତେବେ ବିସିସିଆଇ ସଚିବ ଦେବଜିତ ସୈକିୟା ଏହି ସବୁ ଖବରକୁ ଖଣ୍ଡନ କରିଛନ୍ତି ।
ସ୍ପୋର୍ଟ୍ସ ଷ୍ଟାରକୁ ଦେଇଥିବା ସାକ୍ଷାତକାରରେ ଦେବଜିତ ସୈକିୟା ଗୌତମ ଗମ୍ଭୀରଙ୍କ ସମାଲୋଚକଙ୍କୁ କହିଛନ୍ତି ଯେ, ଲୋକଙ୍କୁ ନିଜର ରାୟ ରଖିବାର ପୂର୍ଣ୍ଣ ଅଧିକାର ରହିଛି । ମାତ୍ର ବିସିସିଆଇ ନିକଟରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ଯୋଗ୍ୟ ଲୋକ ଅଛନ୍ତି । ୧୪୦ କୋଟି ଜନସଂଖ୍ୟାର ଆମ ଦେଶରେ ପ୍ରତ୍ୟେକ ନିଜକୁ କ୍ରିକେଟ୍ ଏକ୍ସପର୍ଟ ମାନନ୍ତି । ସମସ୍ତଙ୍କର ନିଜ ନିଜର ମତ ରହିିଛି । ଏହା ଏକ ଗଣତାନ୍ତ୍ରିକ ଦେଶ, ଯେଉଁଠି କାହାରିକୁ ବି ଚୁପ୍ କରାଯାଇ ପାରିବ ନାହିଁ । ମିଡିଆ ସମେତ ସମସ୍ତେ ନିଜ ନିଜର ରାୟ ଦେବା ପାଇଁ ସ୍ୱତନ୍ତ୍ର । ପୂର୍ବତନ କ୍ରିକେଟ୍ ବିଶେଷଜ୍ଞଙ୍କଠୁ ନେଇ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁ ପ୍ରକାରର ଅଟକଳ ଚାଲିଛି ।
ବିସିସିଆଇ ସଚିବ କହିଛନ୍ତି ଯେ, ସତ୍ୟ ଏହା ଯେ, ବୋର୍ଡ ନିକଟରେ ଏକ ସମର୍ପିତ କ୍ରିକେଟ୍ କମିଟି ରହିଛି, ଯେଉଁଥିରେ ପୂର୍ବତନ କ୍ରିକେଟର ସାମିଲ୍ । ସେମାନେ ହିଁ ଏହା ଉପରେ ନିଷ୍ପତ୍ତି ନେବେ । ଚୟନ ପାଇଁ ଆମ ପାଖରେ ୫ ଜଣିଆ କମିଟି ରହିଛି । ଭାରତୀୟ କ୍ରିକେଟକୁ ନେଇ ଯାହା ବି କିଛି ନିଷ୍ପତ୍ତି ଏହି ଦୁଇ କମିଟି ଆଲୋଚନା ଏବଂ ବିଚାର ବିମର୍ଶ କରି ନେଇଥାନ୍ତି ।
Also read: ସଠିକ୍ ଭାବରେ ଯୋଜନା କରିବା ଉପରେ ଆମର ଧ୍ୟାନ ଥିଲା: ମିଚେଲ୍ ସାଣ୍ଟନର