ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ମାତ୍ର ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ କି ନାହିଁ ତାକୁ ନେଇ ଏବେ ବି ସଂଶୟ ଲାଗି ରହିଛି । ବାଂଲାଦେଶ ସୁରକ୍ଷା କାରଣ ଦର୍ଶାଇ ଭାରତରେ ଖେଳିବାକୁ ମନା କରିବା ପରେ ଆଇସିସି ଏହି ଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଛି । ଆଇସିସିର ଏହି ନିଷ୍ପତ୍ତିରେ ଖପ୍ପା ପାକିସ୍ତାନ । ତେଣୁ ଏହି ଦେଶ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବାକୁ ଧମକ ଦେଉଛି । ଭାରତ, ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଏହି ଟଣା ଓଟରାରେ ଶ୍ରୀଲଙ୍କା କ୍ରିକେଟ୍ ନିଜର ନିରବତା ଭାଙ୍ଗିଛି ।
ଏ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଚିବ ବନ୍ଦୁଲା ଦିସାନାୟକେ କହିଛନ୍ତି, ଶ୍ରୀଲଙ୍କା ଆଞ୍ଚଳିକ ବିବାଦରୁ ଦୂରରେ ରହିବାକୁ ପସନ୍ଦ କରେ । ଭାରତ, ପାକିସ୍ତାନ ଓ ବାଂଲାଦେଶ ହେଉଛନ୍ତି ମିତ୍ର ରାଷ୍ଟ୍ର ଏବଂ ଏହି ଦେଶମାନଙ୍କ ସହ ସମ୍ବନ୍ଧ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଛି । ଏହି ତିନି ଦେଶ ମଧ୍ୟରେ କ୍ରିକେଟକୁ ନେଇ ଚାଲିଥିବା ବିବାଦରେ ଆମେ ନିରପେକ୍ଷ ରହିଛୁ । ଯଦି କିଏ ଭବିଷ୍ୟତରେ ଆମକୁ ଆୟୋଜକ ଭାବେ ଗ୍ରହଣ କରେ ଆମେ ପ୍ରସ୍ତୁତ ଅଛୁ ।
ସୂଚନାଯୋଗ୍ୟ, ଆଇସିସି ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ଟି-୨୦ ବିଶ୍ୱକପ୍ରେ ସାମିଲ କରିଛି । ସେପଟେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ବାଂଲାଦେଶ ଭାରତରେ ହେବାକୁ ଥିବା ମ୍ୟାଚ୍ ଶ୍ରୀଲଙ୍କା ସ୍ଥାନାନ୍ତର କରିବାକୁ ଦାବି କରିଥିଲା । କିନ୍ତୁ ଆଇସିିସି ଏହାକୁ ଗ୍ରହଣ କରି ନ ଥିଲା । ବାଂଲାଦେଶକୁ ନିଜ ଆଭିମୁଖ୍ୟ ବଦଳାଇବାକୁ ଅପିଲ୍ କରିଥିଲା । କିନ୍ତୁ ବାଂଲାଦେଶ ନିଜ ଜିଦରେ ଅଟଳ ରହିବାକୁ ଆଇସିସିକୁ କଡା ପଦକ୍ଷେପ ନେବାକୁ ପଡିଛି ।
Also read: ବିଶ୍ୱର ବିଭିନ୍ନ ଇସଲାମିକ ଦେଶଗୁଡ଼ିକୁ ଦିଲ୍ଲୀରେ ଏକାଠି କରି ମୋଦି ସରକାର କ'ଣ କରିବାକୁ ଯାଉଛି? ଜାଣନ୍ତୁ ଏହାର ଗୁରୁତ୍ୱ