ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଅଦାଲତ ଦଣ୍ଡିତ କରିଛନ୍ତି । ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗିରଫ ହୋଇଥିବା ୯ ଜଣ ବାଂଲାଦେଶୀଙ୍କୁ ଏସଡିଜେଏମ୍ କୋର୍ଟ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ କଲେ ୩ ମାସ ଅଧିକ କାରାବାସ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସଡିଜେଏମ୍ ଅମିତ କୁମାର ୬ ଜଣ ସାକ୍ଷୀ ଏବଂ ଦସ୍ତାବିଜ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା ମାମଲାକୁ ପରିଚାଳନା କରିଥିଲେ ।
ଓକିଲ ରଶ୍ମିରଞ୍ଜନ ବ୍ରହ୍ମା କହିଛନ୍ତି ଯେ ଗିରଫ ଅଭିଯୁକ୍ତମାନଙ୍କୁ ଆଉ ବଂଲାଦେଶ ନ ଛାଡିବାକୁ ବଂଲାଦେଶ ରାଷ୍ଟ୍ରଦୂତ ଭୁବନେଶ୍ୱର କୋର୍ଟ ଏବଂ କ୍ରାଇମବ୍ରାଞ୍ଚକୁ ଲିଖିତ ଆକାରରେ ଜଣାଇଛନ୍ତି । ଏମାନେ ଚିତାଗଙ୍ଗ ଏବଂ ଶାହଗଞ୍ଜ ଅଞ୍ଚଳର ଲୋକ ଅଟନ୍ତି । ସେମାନେ ବେଆଇନ ଭାବେ ବଂଲାଦେଶରୁ ଆସିଥିବାରୁ ସେମାନଙ୍କୁ ଆଉ ନ ଛାଡ଼ିବାକୁ ବାଂଲାଦେଶ ଉଚ୍ଚ ଆୟୋଗ ଦସ୍ତାବିଜରେ ଜଣାଇଛନ୍ତି ।
ମାର୍ଚ୍ଚ ୮, ୨୦୨୫ରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ନାବାଳକ ସମେତ ୧୦ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଥିଲା । ସେମାନଙ୍କ ନିକଟରୁ ବାଂଲାଦେଶୀ ଟଙ୍କା, ଭାରତୀୟ ଟଙ୍କା ଏବଂ ମୋବାଇଲ ଜବତ କରାଯାଇଥିଲା । ଦିବ୍ରୁଗଡ଼-ଚେନ୍ନାଇ ଏକ୍ସପ୍ରେସରୁ ଏସଟିଏଫ୍ ଗିରଫ କରିଥିଲା । ଏମାନଙ୍କ ନିକଟରେ କୌଣସି ଭିସା କିମ୍ବା ପାସ୍ପୋର୍ଟ ନଥିଲା । ସମସ୍ତେ ବିନା ଭିସା ଓ ପାସ୍ପୋର୍ଟରେ ଆସାମ ସୀମା ଦେଇ ଭାରତକୁ ପ୍ରବେଶ କରିଥିଲେ ।