ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ନିଜ ପରିବାର ସହ ଆସି ଆଜି ଅପରାହ୍ନରେ ପୁରୀ ତାଳବଣିଆ ହେଲିପ୍ୟାଡ୍ ରେ ପହଞ୍ଚିଛନ୍ତି। ପୂର୍ବରୁ ତାଳବଣିଆ ହେଲିପ୍ୟାଡ୍ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ ମହାନ୍ତି,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂହ ପ୍ରମୁଖ ସ୍ଵାଗତ କରିଛନ୍ତି। ତାଳବଣିଆ ହେଲିପ୍ୟାଡ୍ ରୁ ତାଙ୍କ କାରକେଡ ଚକ୍ରତୀର୍ଥ ରୋଡ ଦେଇ ଲୋକଭବନ ଅଭିମୁଖେ ବାହାରିଛି। ଆଜି ରାତିରେ ଲୋକଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ।
ବୁଧବାର ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ଵେତଗଙ୍ଗା ଠାରେ ପିଣ୍ତ ଦାନ କରିବାର କାର୍ଯ୍ୟକ୍ରମ ରହିଛି। ପିଣ୍ତଦାନ କରିବା ପରେ ୭ଟା ୪୦ ମିନିଟ୍ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ସିଂହଦ୍ଵାର ଠାରେ ଗଜପତି ମହାରାଜ ସ୍ଵାଗତ କରିବାର ରହିଛି। ଏହାପରେ ରାଷ୍ଟ୍ରପତି ଗର୍ଭଗୃହ ଭିତରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ସକାଳ ୮ଟା ୨୦ ମିନିଟ୍ ସୁଦ୍ଧା ଦର୍ଶନ ସାରି ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରି ଯିବାର କାର୍ଯ୍ୟସୂଚୀ ରହିଛି।
ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଧବାର ସକାଳ ୪ଟାରେ ସୁଦ୍ଧା ଜୟ ବିଜୟ ଦ୍ଵାର ଫିଟା ନୀତି କରାଯିବ। ସୁରକ୍ଷା ଦୃଷ୍ଟିକୋଣରୁ ସକାଳ ୬ଟା ସୁଦ୍ଧା ଶ୍ରୀ ମନ୍ଦିର ଶୋଧ କରାଯିବ। ସେଇ ସମୟରେ କୌଣସି ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷେଧ ରହିଛି।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୩୦ ପ୍ଲାଟୁନ୍ରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ। ସ୍ୱତନ୍ତ୍ର ୟୁନିଟ୍, ଆଣ୍ଟି ଡ୍ରୋନ୍ ଟିମ୍, ଆଣ୍ଟି ସାବୋଟାଇଜ ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ହେବେ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ସମସ୍ତ ହୋଟେଲ, ଲଜିଂ ଯାଞ୍ଚ କରାଯାଇଥିବା ବେଳେ ସହରରେ ରୁଟ୍ ପ୍ଲାନିଂ କରାଯାଇଛି।
ଅଧିକ ପଢନ୍ତୁ: ଫକୀରମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି