ଯାଜପୁର: ପୁଣି ଚର୍ଚ୍ଚାରେ ଯାଜପୁର ରାଜନୀତି। ଯାଜପୁର କରଦା ହରିହାଟ ମହୋତ୍ସବ ମଞ୍ଚରୁ ଶଳାଙ୍କୁ ଭାଷଣରେ ଧୋଇଲେ ଭିଣୋଇ।। ଉଦ୍ଯାପନୀ ଉତ୍ସବରେ ବବିଙ୍କ ନାଁ ନ ନେଇ ଡାଇଲଗ୍ ବାଣ ଛାଡ଼ିଲେ ଭିଣୋଇ ଅରିନ୍ଦମ ରାୟ। ଭାଷଣ ଦେବାକୁ ଯାଇ ସେ ବହେ ଶୁଣାଇଛନ୍ତି। ପ୍ରଣବ ପ୍ରକାଶ ଦାସ ଓରଫ୍ ବବୀ ଦାସଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ବିଜେପି ନେତା ଅରିନ୍ଦମ ରାୟ। କେବଳ ଅରିନ୍ଦମ ନୁହନ୍ତି ତାଙ୍କ ସାଙ୍ଗରେ ବିଧାୟକ ଆକାଶ ଦାସ ନାୟକ ମଧ୍ୟ ଯୋଡ଼ି ହୋଇଥିଲେ।
ତେବେ ଅରିନ୍ଦମ ନିଜ ଭାଷଣରେ କହିଥିଲେ ଯେ, ଯାଜପୁର ସାଙ୍ଗରେ ମୋର ସଂପର୍କ ଅଛି, ତାହା ଆପଣ ମାନେ ଜାଣିଥିବେ। ହେଲେ ମୁଁ ୨୦୨୪ ପର ଠାରୁ ଯାଜପୁର ଆସିନଥିଲି, ଆକାଶ ଭାଇ ଆଜି ମୋତେ ଯାଜପୁର ଆସିବାର ସୁଯୋଗ ଦେଇଛନ୍ତି। ଆକାଶ ଭାଇ ବହୁତ ନରମ ଥିଲେ ଏବେ ଗରମ ହେଲେଣି ବୋଲି ଅରିନ୍ଦମ କହିଥିଲେ। ଏହା ସହ ଆକାଶଙ୍କୁ ଗରମ କରିବା ପାଇଁ ଅରିନ୍ଦମ ଅଭିନୟ କରିଥିବା ଚଳଚ୍ଚିତ୍ର ‘ରଜା ଝିଅ ସଙ୍ଗେ ହୋଇଗଲା ଭାବ’ର ଏକ ଡାଇଲଗ କହିଥିଲେ। ସେ ଡାଇଲଗ ହେଲା – ମୁଁ ମନା କରୁଛି, ମୁଁ ମନା କରୁଛି,ମୋ ସାଙ୍ଗରେ ଲାଗନା, ଲାଗନା, ଏବେ ନାମ ନେ..। ଏ ଡାଇଲଗ ଆକାଶ ଭାଇ କହିବା କଥା, ହେଲେ ମୁଁ ତାଙ୍କ ପାଇଁ କହୁଛି। ଆକାଶ ଭାଇ ଆଗକୁ ଯାଅ ଆମେ ତୁମ ସାଥୀରେ ଅଛୁ।
ତେବେ ଅରିନ୍ଦମଙ୍କ ଏହି ଡାଇଲଗ୍ ସେ କାହା ପାଇଁ ଆଉ କେଉଁ ଅର୍ଥରେ କହିଛନ୍ତି ତାହା ଏବେ କାହାରିକୁ ଅଛପା ନାହିଁ। ଚର୍ଚ୍ଚା ହେଉଛି ଯେ ଏପରି କଟାକ୍ଷ କଥା ସେ ନିଜ ଶାଳକ ବବି ଦାସଙ୍କୁ ହିଁ କହିଛନ୍ତି।
ସେହିପରି ବିଧାୟକ ଆକାଶ ମଧ୍ୟ ମଞ୍ଚ ଉପରୁ ବବିଙ୍କୁ ନିସାନା କରି କହିଛନ୍ତି କୋରେଇ ଲୋକ ଖଟ ମୁଣ୍ଡେଇ ନାହାନ୍ତି, ମୁଣ୍ଡ ଖଟେଇଛନ୍ତି। କୋରେଇ ଲୋକଙ୍କୁ ବୋକା ଭାବିବନି, କୋରେଇ ଲୋକ ବହୁତ୍ ଚାଲାକ୍। ରାମାୟଣରେ ରାବଣ ଛଦ୍ମ ବେଶରେ ଆସିଥିଲେ, ସେହି ଛଦ୍ମ ବେଶୀ ରାବଣ ମାନେ ଯେଉଁ ସାଧୁ ବେଶରେ ଆସି ଏବେ କୋରେଇରେ ଘରେ ଘରେ ବୁଲୁଛନ୍ତି ସେମାନଙ୍କୁ ଆମକୁ ଚିହ୍ନିବାକୁ ପଡ଼ିବ। ଆମେ ଆଉ ଠକି ହେବାନି, କୋରେଇର ଭାଗ୍ୟ କୋରେଇର ପୁଅ କୋରେଇ ବାସୀ ଲେଖିବେ ବୋଲି କହିଛନ୍ତି ଆକାଶ ଦାସ ନାୟକ।
ଅଧିକ ପଢନ୍ତୁ: ଯେତେଦିନ ନବୀନ ବାବୁ ଅଛନ୍ତି, ଦ୍ୱିତୀୟ ନେତୃତ୍ୱର ପ୍ରଶ୍ନ ଉଠୁ ନାହିଁ: କଳିକେଶ