ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କୃଷ୍ଣସାର ମୃଗଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଚଳିତ ବର୍ଷ ୪୯୮ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢି ୯୨୮୭ରେ ପହଞ୍ଚିଥିବା ସୂଚନା ଦିଆଯାଇଛି। ଏନେଇ ପିସିସିଏଫ୍ ଏକ୍ସରେ ସୂଚନା ଦେଇଛନ୍ତି ।
ଗଞ୍ଜାମ ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳରେ କୃଷ୍ଣସାର ମୃଗ ଗଣନା କରାଯାଇଥିଲା । ପ୍ରଶିକ୍ଷିତ ଟିମ୍, ଡ୍ରୋନ ଓ ଏଆଇ କ୍ୟାମେରା ସହାୟତାରେ କରାଯାଇଥିବା ଗଣନାରୁ ସ୍ପଷ୍ଟ ହୋଇଚି। ବ୍ରହ୍ମପୁରରେ ୨,୮୫୬, ଘୁମୁସର ଉତ୍ତରରେ ୪୫୯ ଏବଂ ଘୁମୁସର ଦକ୍ଷିଣରେ ୫, ୯୭୨ଟି ମୃଗ ସ୍ପଷ୍ଟ ଚିହ୍ନଟ ହୋଇଛନ୍ତି ।
୨୦୨୦ରେ ମାତ୍ର ୬,୮୭୫ଟି କୃଷ୍ଣ ସାର ମୃଗ ଥିବାବେଳେ ୨୦୨୬ରେ ତାହା ୯,୨୮୭କୁ ବୃଦ୍ଧି ପାଇଛି । ୨୦୨୫ରେ ୮, ୭୮୯ଟି ମୃଗ ଚିହ୍ନଟ ହୋଇଥିଲେ । ଅନୁକୁଳ ବାତ୍ତାବରଣ ରହିଲେ ଆଗକୁ ଏହି ସଂଖ୍ୟାରେ ଆହୁରି ପରିବର୍ତ୍ତନ ଦେଖାଯିବ ବୋଲି ବନ ବିଭାଗ ଆଶା ରଖିଛି ।
୨୦୧୧ ଏହି ଅଞ୍ଚଳର କୃଷ୍ଣ ସାର ମୃଗ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ବ ଦୁଇ ବର୍ଷକୁ ଥରେ ଗଣନା କରାଯାଉଥିବା ବେଳେ ବିଗତ ବର୍ଷ ଠାରୁ ବର୍ଷକୁ ବର୍ଷକ ଏହାର ଗଣନା କରାଯାଉଛି । ପ୍ରତି ବର୍ଷ ଏହି ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢୁଛି। କୃଷ୍ଣସାର ମୃଗ ଗଣନା ପାଇଁ ୨୮ ଦଳ ଗଠନ କରାଯାଇଥିଲା । ଟ୍ରେନର, ବ୍ରହ୍ମପୁର ଏସିଏଫ, ଆସ୍କା ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ସାମିଲ ହୋଇଥିଲେ।