ଭଞ୍ଜନଗର : ସାମାନ୍ୟ ବଚସା ନେଇଗଲା ଜୀବନ। ଫାଷ୍ଟ ଫୁଡ୍ ଦୋକାନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା। ଗଞ୍ଜାମ ଜିଲ୍ଲା କୋଦଣ୍ଡା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ବଡ଼ କୋଦଣ୍ଡା ଗାଁର ହରେକୃଷ୍ଣ ସ୍ୱାଇଁ। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ କଣ ପାଇଁ ଫାଷ୍ଟଫୁଡ ବ୍ୟବସାୟୀଙ୍କୁ ହତ୍ୟା କରାଗଲା କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଭଞ୍ଜନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର କରୁଛି ତଦନ୍ତ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ହରେକୃଷ୍ଣ ନିଜ ଫାଷ୍ଟ ଫୁଡ୍ ଦୋକାନରେ ବ୍ୟବସାୟ କରୁଥିଲେ। କିଛି ସମୟ ପାଇଁ ପଡୋଶୀ ଦୋକାନରେ ଠିଆ ହୋଇଥିବା ବେଳେ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ଏହାପରେ କୌଣସି କଥାକୁ ନେଇ ହରେକୃଷ୍ଣ ଏବଂ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ସେହି ଅପରିଚିତ ବ୍ୟକ୍ତି ଦୁହେଁ ରାଗିଯାଇ ହରେକୃଷ୍ଣଙ୍କୁ ଚାପୁଡ଼ା ଓ ମୁଥ ମାରିଥିଲେ। ଯାହାଫଳରେ ସେ ଅଚେତ ହୋଇଯାଇଥିଲେ। ପରିବାର ଲୋକ ତୁରନ୍ତ ହରେକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଭଞ୍ଜନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ : ୫ଟି ଦୋକାନ ଉପରେ ମାଡ଼ି ଗଲା ହାଇୱା