ଭୁବନେଶ୍ୱର: ବିଜେଡିରେ ଓ୍ବକଫ୍ ଝଡ଼କୁ ନେଇ ବଡ ହଲଚଲ ଚାଲିଥିବା ବେଳେ ନବୀନ ନିବାସରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ, ଅରୁଣ ସାହୁ, କଳିକେଶ ନାରାୟଣ ସିଂଦେଓ, ପ୍ରତାପ ଜେନା, ଅନଙ୍ଗ ଉଦୟ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ ଏହି ବୈଠକରେ ସାମିଲ ଥିଲେ। ତେବେ ଭିତରେ କଣ ଆଲୋଚନା ହେଲା ସେନେଇ ବରିଷ୍ଠ ନେତା ମୁହଁ ଖୋଲି ନାହାନ୍ତି । ସମସ୍ତେ ସାଂଗଠନିକ ନିର୍ବାଚନ ପାଇଁ ଆଲୋଚନା ହୋଇଥିବା କହିଛନ୍ତି । ଏହାସହ ଯେଉଁ ସନ୍ଦେହ ସୃଷ୍ଟି ହୋଇଛି ନବୀନ ଦୂର କରିବେ କହିଛନ୍ତି।
ବୈଠକ ପରେ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଅଛନ୍ତି, ଦଳ ମଜଭୂତ ଅଛି। ଲୋକମାନଙ୍କ ଭରସାର ଦଳ ହୋଇ ରହିବ। ଆଜି ସମ୍ପୂର୍ଣ୍ଣ ଭାବେ ସଂଗଠନ କାର୍ଯ୍ୟକ୍ରମକୁ ଆଗେଇବାକୁ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲୁ। ରାଜ୍ୟ ସଭାପତି, ଜିଲା ସଭାପତି ଓ ରାଜ୍ୟ କମିଟି ସହ ଅନ୍ୟ କର୍ମକର୍ତ୍ତା ଚୟନ ନେଇ ଆଲୋଚନା ହୋଇଛି। ସଂଗଠନ ନିର୍ବାଚନ କାର୍ଯ୍ୟକ୍ରମ ଚାଲିଛି।
ସେହିପରି ବିଜେଡି କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା କହିଛନ୍ତି, ଆଜି ଦଳର ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି। ୩୩ ସାଙ୍ଗଠନିକ ଜିଲାରେ କିପରି ସଭାପତି ନିର୍ବାଚନ ହେଉଛି, ବ୍ଲକ ସଭାପତି ଚୟନରେ କଣ ସମସ୍ୟା ରହୁଛି, କିଭଳି ନିର୍ବାଚନ ଠିକ୍ ଭାବେ ହେବ, ସେନେଇ ସଭାପତିଙ୍କୁ ଅବଗତ କରିଛୁ।
ରାଜ୍ୟରେ ଗତ କିଛି ଦିନ ହେବ ଓ୍ବକଫ ବିଲ ସପକ୍ଷରେ ମତଦାନ ଘଟଣା ବିଜେଡି ଭିତର କଳିକୁ ପଦାରେ ପକାଇଛି । ଗତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରଠୁ ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ କୁହୁଥିଲା । କିଛି ନେତା ପରୋକ୍ଷରେ ତାଙ୍କୁ ଇଙ୍ଗିତ କଲାଭଳି ବୟାନ ବି ଦେଇଥିଲେ, ହେଲେ ଏଥର ସିଧାସଖଳ ତାଙ୍କ ନାଁ ନେଇ ଟାର୍ଗେଟ୍ କରିଛନ୍ତି ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ତ୍ରିପାଠୀଙ୍କ ପରି ନେତା । ସେପଟେ ପାଣ୍ଡିଆନଙ୍କ ବିରୋଧରେ ପଦେ କହୁ କହୁ ତାଙ୍କ ସୁରକ୍ଷାରେ ବାହାରିଛନ୍ତି ଦଳର ସାଂସଦ ଓ ନେତା । ରାଜ୍ୟରେ ଏବେ ବିଜେଡି ଦଳ ଭିତରର କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଆଗକୁ ବିଜେଡ଼ି ଭବିଷ୍ୟତ କଣ ହେବ, ତାହା ଦେଖିବାକୁ ବାକି ରହିଲା।