ଭୁବନେଶ୍ୱର: ରାଜ୍ୟର ଯୁବ ବର୍ଗଙ୍କ ପାଇଁ ଖୁସି ଖବର ଆସିଛି । ରାଜ୍ୟ ଖୁବ ଶୀଘ୍ର ଟ୍ରାଫିକ୍ ବିଭାଗରେ ୨ ହଜାର ପଦବୀ ପୂରଣ ହେବ । ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ଟି ନୂତନ ପଦବୀ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସେଟ୍-ଅପ୍ରେ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଅନୁମୋଦନ କରିଛନ୍ତି ।
ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି । ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ଟି ନୂତନ ପଦବୀ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି ।
ରାଜ୍ୟ ସ୍ତରୀୟ ସେଟ-ଅପ୍ରେ ଆଜିପି, ଡିଆଇଜି, ଏସପି, ଡିଏସପି, ଏସଆଇ ଆଦି ବିଭିନ୍ନ ପଦବୀ ସୃଷ୍ଟି କରାଯାଇଛି । ଏଡିଜିପି/ଆଇଜିପି (ADGP/IGP) ଗୋଟିଏ ପଦବୀ, ଡିଆଇଜି (DIG) (ପୋଲିସ) ଗୋଟିଏ ପଦବୀ, ୨ଟି ଏସପି (SP) ପଦବୀ, ୪ ଟି ଡିଏସପି (DSP), ୬ ଟି ଇନସ୍ପେକ୍ଟର (Inspector) , ୮ ଟି ଏସଆଇ (SI) ଓ ୮ଟି ଏଏସଆଇ (ASI) ପଦବୀ ପାଇଁ ଅନୁମୋଦନ ମିଳିଛି । ସେହିପରି ୨୨ ଟି କନେଷ୍ଟବଲ , ୧୦ ଟି ଡ୍ରାଇଭର, ଗୋଟିଏ ଏଷ୍ଟାବ୍ଲିସମେଣ୍ଟ ଅଫିସର, ଗୋଟିଏ ସେକ୍ସନ ଅଫିସର, ଏ.ଏସ୍.ଓରେ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବୀ ସୃଷ୍ଟି ହୋଇଛି । ଏହିପରି ସମୁଦାୟ ୭୦ଟି ପଦବୀ ସୃଷ୍ଟି ହୋଇଛି ।
ସେହିପରି ଜିଲ୍ଲାସ୍ତରୀୟ ସେଟ-ଅପ୍ରେ ୧୯୩୦ଟି ପଦବୀ ସୃଷ୍ଟି କରାଯାଇଛି । ଡି.ଏସ୍.ପି. ୫ଟି ପଦବୀ, ଇନ୍ସପେକ୍ଟର ୪୧ଟି ପଦବୀ, ସବ୍- ଇନ୍ସପେକ୍ଟର ୮୩ ଟି ପଦବୀ, ଏ.ଏସ୍.ଆଇ. ୮୩ଟି ପଦବୀ, ହାବିଲ୍ଦାର ୩୧୦ ଓ କନଷ୍ଟେବଲ ପାଇଁ ୧୪୦୮ଟି ପଦବୀ ସୃଷ୍ଟି କରାଯାଇଛି ।
ଏହାଦ୍ୱାରା ରାଜ୍ୟର ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ ସଡକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ ବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଆଲୋଚନା କରିଥିଲେ । ଗୃହ ବିଭାଗରେ ଖାଲି ଥିବା ପାଖାପାଖି ୧୨,୦୦୦ ପଦବୀ ପୂରଣ ହେବ । ଏଥି ମଧ୍ୟରୁ ଟ୍ରାଫିକରେ ୨୦୦୦ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।