ଭୁବନେଶ୍ୱର: ଆଜି ହେଉଛି ଓଡ଼ିଶାର ବର ପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ । ବିଧାନସଭା ପରିସରରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ପରିଡ଼ା, ପ୍ରତାପ ଦେବ ଏବଂ ଅନ୍ୟ ବିଧାୟକଗଣ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।
ଜଣେ ସ୍ୱାଭିମାନୀ ଓଡ଼ିଆ ତଥା ଶିକ୍ଷା, ନାରୀ ସଶକ୍ତିକରଣ ସହ ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅବଦାନ ସର୍ବଦା ପ୍ରେରଣାଦାୟୀ ବୋଲି ଏକ୍ସରେ କହିଛନ୍ତି ।
୧୯୧୬, ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁ ଜନ୍ମ ଗ୍ରହଣ କରିଥିଲେ । ଏପ୍ରିଲ ୧୭ ତାରିଖର, ୧୯୯୭ ଇହଲୀଳା ସମ୍ବରଣ କରିଥିଲେ । ସେ ଓଡ଼ିଶାର ତୃତୀୟ ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୯୬୧ ରୁ ୧୯୬୩ ଏବଂ ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ । ସେହିପରି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ି କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି । ସେ ୧୯୭୯ ରୁ ୧୯୮୦ ଏବଂ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ଭାରତର ୧୪ତମ ଇସ୍ପାତ ଓ ଖଣି ଏବଂ ପ୍ରଥମ କୋଇଲା କେନ୍ଦ୍ର ମନ୍ତ୍ରୀ ଥିଲେ । ଏକ ଆଧୁନିକ ଓଡ଼ିଶା ନିର୍ମାଣ କରିବାରେ ତାଙ୍କର ଅବଦାନ ଚୀର ସ୍ମରଣୀୟ ହୋଇ ରହିବ । କଳିଙ୍ଗ ଏୟାର ଲାଇନ୍ସ, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର ବିମାନ ବନ୍ଦର, ହୀରାକୁଦ ଡ୍ୟାମ, ସୈନିକ ସ୍କୁଲ ଆଦି ତାଙ୍କର ଅତୁଳନୀୟ ଅବଦାନ ରହିଛି ।