ଭୁବନେଶ୍ୱର: ଏଆଇ ଟ୍ରେନିଂ ନେବେ ସରକାରୀ ବାବୁ। ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରୟୋଗ ଉପରେ ବ୍ୟାବହାରିକ ତାଲିମ ଦିଆଯିବ। ଏନେଇ ବୁଧବାର ଲୋକସେବା ଭବନରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ୱାଧ୍ୱାନି ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଏକ କର୍ମଶାଳାର ଆୟୋଜନ କରାଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟର ସରକାରୀ ଅଫିସରମାନଙ୍କୁ ଏଆଇର ପ୍ରୟୋଗ ଉପରେ ତାଲିମ ସମ୍ବନ୍ଧିତ ଏହା ଥିଲା ପ୍ରଥମ କର୍ମଶାଳା। ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଅଫିସରଙ୍କୁ ଏଆଇରେ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି।
ଏଆଇକୁ ଡାଟା ସମର୍ଥିତ ଦୃଷ୍ଟିଭଙ୍ଗୀ ଆପଣାଇ ବିଭିନ୍ନ ସରକାରୀ ବିଭାଗ ଜନସେବା ବିତରଣ ବ୍ୟବସ୍ଥାକୁ କିଭଳି ପ୍ରଭାବୀ ଢଙ୍ଗରେ ପରିଚାଳିତ କରିବା ଏହି କର୍ମଶାଳାର ମୌଳିକ ଲକ୍ଷ୍ୟ। ଏହା ସହିତ ନୀତିଗତ ଯୋଜନା ଓ ତା’ର ମନିଟରିଙ୍ଗ ନିମନ୍ତେ ଡାଟା ପରିଚାଳିତ ନିଷ୍ପତ୍ତି ଗ୍ରହଣ, ଡିଜିଟାଲାଇଜେସନ୍ ଓ ଡିଜିଟାଲ ଟ୍ରାନ୍ସଫରମେସନ୍ ମଧ୍ୟରେ ଥିବା ପାର୍ଥକ୍ୟ, ବିଚାର ଅବସ୍ଥାରୁ ଅବଧାରଣା ଅବସ୍ଥାକୁ ଯିବାପାଇଁ ଢାଞ୍ଚା ପ୍ରସ୍ତୁତି, ଶାସନଗତ ଆହ୍ୱାନ ଏବଂ ଓ୍ୱାଧ୍ଓ୍ୱାନି ଫାଉଣ୍ଡେସନ୍ ସହ ମିଶି ସେଗୁଡ଼ିକର ବିଶ୍ଲେଷଣ ତଥା ବୈଷୟିକ ସମ୍ଭାବ୍ୟତା ଓ ବିଶେଷଜ୍ଞଙ୍କ ମତାମତ ସଂଗ୍ରହ ଉପରେ ଆଲେଚନା କରାଯାଇଥିଲା।
ଏହି କର୍ମଶାଳାରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ମାନସ ପଣ୍ଡା, ୱାଧ୍ୱାନି ଫାଉଣ୍ଡେଶନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କୁମାର ଏବଂ ଓଡ଼ିଶା ଡିଜିଟାଲ ଗଭର୍ନାନ୍ସ ଇକୋସିଷ୍ଟମ୍ର ପ୍ରମୁଖ ହିତାଧିକାରୀଗଣ ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି। ଇଣ୍ଡିଆ ଏ.ଆଇ. ମିସନ ସହ ମିଶି ଓଡ଼ିଶା ସରକାର ଦକ୍ଷତା ବୃଦ୍ଧି, ନବସୃଜନ, ନୈତିକ ଏବଂ ନିୟନ୍ତ୍ରଣାତଙ୍କ ଢାଞ୍ଚା ପ୍ରସ୍ତୁତି, ଆପ୍ ବିକାଶ ଏବଂ ତଥ୍ୟାବଳୀର ସମ୍ପାଦନା ଆଦି ପ୍ରମୁଖ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦେଉଛନ୍ତି । ଆଇ.ଆଇ.ଟି. ଭୁବନେଶ୍ୱର, ଭାଶିନୀ ଓ ସି-ଡାକ୍ ସହ ମିଶି ଓଡ଼ିଶା ସରକାର ଏକ ଭାଷାଗତ ଏ.ଆଇ. ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେଉଥିବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା, ଯାହା ଓଡ଼ିଆ ଭାଷାର ସାଂସ୍କୃତିକ ସଂରକ୍ଷଣରେ ସହାୟକ ହେବ।
ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ୍ ଦେବ କହିଥିଲେ ଯେ ଏ.ଆଇକୁ ଆପଣାଇ ଏହି କ୍ଷେତ୍ରରେ ଓଡ଼ିଶାକୁ ଜାତୀୟସ୍ତରରେ ସ୍ଥରରେ ଏକ ନେତୃସ୍ଥାନୀୟ ସ୍ଥିତିକୁ ଆଣିବା ପାଇଁ ରାଜ୍ୟ ସରକାର ବହୁ ସିଦ୍ଧାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଖୁବଶୀଘ୍ର ରାଜ୍ୟର ସ୍ବତନ୍ତ୍ର ଏ.ଆଇ. ପଲିସି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ଏହା ସହିତ, ବିଭିନ୍ନ କ୍ଷେତ୍ର ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ‘ଓଡ଼ିଶା ଏ.ଆଇ. ମିଶନ’ ମଧ୍ୟ ଆରମ୍ଭ କରାଯିବାପାଇଁ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସଚେତନତା ସୃଷ୍ଟିକରି ସରକାରୀ କାର୍ଯ୍ୟରେ ପାରଦର୍ଶିତା ବୃଦ୍ଧି କରିବା, ଏ.ଆଇ. ପାଇଲଟ୍ସ ଆରମ୍ଭ କରିବା ଏବଂ ପରିଶେଷରେ ବିଭିନ୍ନ କ୍ଷେତ୍ର ମଧ୍ୟରେ ଏ.ଆଇ. ପରିଚାଳିତ ଶାସନିକ ବ୍ୟବସ୍ଥାକୁ ଆନୁଷ୍ଠାନିକ କରିବା ଏହି କର୍ମଶାଳାର ଲକ୍ଷ୍ୟ ଥିଲା । ଏହିସବୁ ଉଦ୍ୟମ ଓଡ଼ିଶାକୁ ଏ.ଆଇ. ନବସୃଜନର ଏକ ଜାତୀୟ କେନ୍ଦ୍ରରେ ପରିଣତ କରିବ ବୋଲି ଆଶା କରାଯାଉଛି । ତେବେ ଆସନ୍ତା ୩ ମାସ ମଧ୍ୟରେ ଏଆଇର ବ୍ୟବହାର ଶିଖିବାକୁ ଅଫିସରମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନଙ୍କୁ ଆରମ୍ଭ କରିବାରେ ସାହାଯ୍ୟ କରିବା ପାଇଁ, ମୁଖ୍ୟ ସଚିବ ନିମ୍ନଲିଖିତ AI ଶିକ୍ଷଣ ପ୍ଲାଟଫର୍ମଗୁଡ଼ିକୁ ସୁପାରିଶ କରିଛନ୍ତି।
1. iGOT କର୍ମଯୋଗୀ ପୋର୍ଟାଲରେ କୃତ୍ରିମ ବୁଦ୍ଧିମତ୍ତା (AI) ଉପରେ ଅନଲାଇନ୍ ପାଠ୍ୟକ୍ରମ, ଏଥିରେ ଅନ୍ତର୍ଭୁକ୍ତ
a. ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା କୃତ୍ରିମ ବୁଦ୍ଧିମତ୍ତାର ମୌଳିକ ଧାରଣା – ଦୂରସଂଚାର ବିଭାଗ
b. ଡିଜିଟାଲ୍ ପରିବର୍ତ୍ତନ ପାଇଁ AI: ୱାଧୱାନୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ପଲିସି ଦ୍ୱାରା ମେସିନ୍ ଶିକ୍ଷଣ ଏବଂ ଗଭୀର ଶିକ୍ଷା ଏବଂ
c. ସରକାରରେ AI: ଭାରତୀୟ ବିଜ୍ଞାନ ସଂସ୍ଥାନ (IISc) ବେଙ୍ଗାଲୁରୁ ଦ୍ୱାରା ସାର୍ବଜନୀନ ସେବା ପ୍ରଦାନକୁ ରୂପାନ୍ତରିତ କରୁଛି
2. ସମସ୍ତଙ୍କ ପାଇଁ AI – https://ai-for-all.in (Intel ସହ ସହଭାଗୀତାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ବିକଶିତ)
3. ସମସ୍ତଙ୍କ ପାଇଁ AI – https:// www.deeplearning.ai/ courses/ai-for-everyone
4. AI ର ଉପାଦାନ – https:// www.elementsofai.com (ଫିନଲ୍ୟାଣ୍ଡର ହେଲସିଙ୍କି ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଛି)