ଭୁବନେଶ୍ୱର: ରାଜଧାନୀ ରାଜ ରାସ୍ତାରେ ମନ ଇଚ୍ଛା ଉଠା ଦୋକାନୀକୁ ଦେଖି କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ । ବିଏମସିର ବାରମ୍ବାର ତାଗିଦ ପରେ ମଧ୍ୟ ପଞ୍ଜିକରଣ କରି ନ ଥିବା ଦୋକାନୀ କାହିଁକି ଦୋକାନ ପକାଇଛନ୍ତି ବୋଲି ପଚାରିଛନ୍ତି ମେୟର ।
ଆସନ୍ତା ଜାନୁୟାରୀ ମାସରେ ଭୁବନେଶ୍ୱର ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ତେଣୁ ସଜେଇ ହେଉଛନ୍ତି ମନ୍ଦିର ମାଳିନୀ ସହର ଭୁବନେଶ୍ୱର । ଏଥିପାଇଁ ସହର ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏହି କ୍ରମରେ ଆଜି ସିଆରପି ସ୍ୱୟଂର ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମେୟର ସୁଲୋଚନା ଦାସ ସାମିଲ ହୋଇ ସଫେଇ କାର୍ଯ୍ୟକୁ ତଦାରଖ କରିଛନ୍ତି । ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ମନ ଇଚ୍ଛା ଦୋକାନ କରିଥିବା ଦେଖି ମେୟର ବିରକ୍ତି ପ୍ରକାଶ କରିଛନ୍ତି । ବାରମ୍ବାର ତାଗିଦ ସତ୍ୱେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ ଦୋକାନ ପକାଇଛନ୍ତି ବୋଲି ପଚାରିଛନ୍ତି ମେୟର ।
ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ମେୟର । ରାସ୍ତା କଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ । କେବଳ ପଞ୍ଜିକରଣ କରିଥିବା ଦୋକାନୀଙ୍କୁ ଭେଣ୍ଡିଂ ଜୋନରେ ସ୍ଥାନ ମିଳିବ ବୋଲି ମେୟର ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଦୋକାନ ପାଖ ସଫା ରଖିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମେୟର । ସହରର 55ଟି ରାସ୍ତାରେ କୌଣସି ଉଠା ମାଛ, ପରିବା କିମ୍ବା ଜଳଖିଆ ଦୋକାନ ଆଦି ରହିବ ନାହିଁ ।
ମେୟର କହିଛନ୍ତି, ଯେମିତି ଘରକୁ ଅତିଥି ଆସିଲେ ଆମେ ସଫା ସୁତୁରା ରଖିଥାଉ, ସେହିଭଳି ପ୍ରବାସୀ ଭାରତୀୟଙ୍କ ପାଇଁ ଭୁବନେଶ୍ୱରକୁ ସଫା ସୁତୁରା କରାଯାଉଛି । କିନ୍ତୁ ଗରିବ ଲୋକଙ୍କୁ ଦେଖି ଦୋକାନ ଖୋଲିବାକୁ ଅନୁମତି ଦିଆଯାଉଛି । ସେମାନେ କିନ୍ତୁ ରାସ୍ତା ଘାଟରେ ଅଳିଆ ଆବର୍ଜନା ପକାଉଛନ୍ତି । ତେଣୁ ରାସ୍ତାକୁ ସଫା ରଖିବାକୁ ବିଏମସି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ମେୟର କହିଛନ୍ତି ।